ଇସ୍ରାଏଲ ଉପରେ ଇରାନର ଆକ୍ରମଣ
ଜେରୁଜେଲମ-ୱେଷ୍ଟବ୍ୟାଙ୍କରେ କ୍ଲଷ୍ଟର କ୍ଷେପଣାସ୍ତ୍ର ମାଡ଼
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ କ୍ରମଶଃ ବିପଦପୂର୍ଣ୍ଣ ହେବାକୁ ଲାଗିଛି । ସୋମବାର ମଧ୍ୟରାତ୍ରିରେ ଇସ୍ରାଏଲ, ଜେରୁଜେଲମ ଏବଂ ୱେଷ୍ଟବ୍ୟାଙ୍କର ଆକାଶରେ କ୍ଷେପଣାସ୍ତ୍ର ଦେଖିବାକୁ ମିଳିଛି । କ୍ଷେପଣାସ୍ତ୍ରଗୁଡ଼ିକ କ୍ଲଷ୍ଟର ଯୁଦ୍ଧାସ୍ତ୍ର ବହନ କରିଥିଲା ।
ଏହା ମଝି ଆକାଶରେ ବିସ୍ଫୋରଣ ହୋଇ ଅନେକେ ଛୋଟ ବୋମାରେ ପରିଣତ ହେବାଦ୍ୱାରା ବହୁ ଅଂଚଳ ଧ୍ୱଂସ ହେବାର ସୂଚନା ମିଳିଛି ।
ଆକ୍ରମଣ ପରେ ବହୁ ଅଂଚଳରେ ସାଇରନ ବାଜିଥିଲା ଏବଂ ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଯିବାକୁ ନିର୍ଦେଶ ଦିଆଯାଇଥିଲା ।
ରିପୋର୍ଟ ଅନୁସାରେ ଏହି ଆକ୍ରମଣ ସାମରିକ ମୁକାବିଲାର ପାଲଟା ଜବାବ ଥିବା ଅନୁମାନ କରାଯାଉଛି । କ୍ଲଷ୍ଟର ମିସାଇଲ ବ୍ୟବହାର ଆବାସିକ ଅଞ୍ଚଳ ପାଇଁ ବିଶେଷ ଭାବେ ବିପଦପୂର୍ଣ୍ଣ ବୋଲି ମନେ କରାଯାଉଛି । ଏହା ଏକକାଳୀନ ବଡ଼ ଅଂଚଳକୁ ପ୍ରଭାବିତ କରୁଛି ।
ଫଳରେ ଜେରୁଜେଲମ ଏବଂ ୱେଷ୍ଟବ୍ୟାଙ୍କରେ ଲକ୍ଷଲକ୍ଷ ଲୋକ ବଙ୍କର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଇରାନ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଏହାର ଶକ୍ତି ଭିତିଭୂମି ଉପରେ ଆକ୍ରମଣ କରେ, ତେବେ ଆମେ ଉପସାଗରୀୟ ଦେଶଗୁଡ଼ିକର ଶକ୍ତି ଏବଂ ଜଳ ପ୍ଲାଂଟଗୁଡ଼ିକୁ ଟାର୍ଗେଟ୍ କରିବୁ ।
ସମ୍ଭବତଃ ଏହି ବିବୃତି ଯୋଗୁଁ ଏବେ ସଂଘର୍ଷ ସାମରିକ ଲକ୍ଷ୍ୟଠାରୁ ଅଧିକ ବିସ୍ତାରିତ ହୋଇ ବେସାମରିକ ଭିତିଭୂମି ପର୍ଯ୍ୟନ୍ତ ପହଂଚିପାରେ ବୋଲି ଆଶଙ୍କା କରାଯାଉଛି ।
ବିଶେଷଜ୍ଞଙ୍କ ବକ୍ତବ୍ୟ ଯେ ଯଦି ଶକ୍ତି ଏବଂ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଉପରେ ଆକ୍ରମଣ ଆରମ୍ଭ ହୁଏ, ତେବେ ଏହାର ପ୍ରଭାବ ବିଶ୍ୱବାସୀଙ୍କ ଉପରେ ପଡ଼ିବ ।