ଟ୍ରମ୍ପଙ୍କ ୫ ଦିନିଆ ଯୁଦ୍ଧବିରତି ଘୋଷଣା
ଇରାନର ପାୱାର ପ୍ଲାଂଟ ଉପରେ କରାଯିବନି ଆକ୍ରମଣ
ମଧ୍ୟପ୍ରାଚ୍ୟରେ ପ୍ରାୟ ୩ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଟିକେ ବିରାମ ଲାଗିବାକୁ ଯାଉଛି ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର କୌଣସି ପାୱାର ପ୍ଲାଂଟ ଉପରେ ଆକ୍ରମଣ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ସମଗ୍ର ବିଶ୍ୱବାସୀ ଟିକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ।
କାରଣ ଏହି ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ସିଲିଣ୍ଡର ଏବଂ ପାମୋଲିନ ଓ ରିଫାଇନ ଭଳି ଖାଇବା ତେଲର ଦର ମଧ୍ୟ ବଢ଼ିବାକୁ ଆରମ୍ଭ କରିଦେଇଥିଲା ।
ଅନ୍ୟପଟେ ଇରାନର ବାଲିଷ୍ଟିକ ମିସାଇଲ ଆକ୍ରମଣରେ କାତାରସ୍ଥିତ ଏକ ଗ୍ୟାସ ଉତ୍ପାଦନ କମ୍ପାନୀ ଧ୍ୱଂସ ହୋଇଥିବାବେଳେ ଅନେକ ଅନୁଷ୍ଠାନ ଧ୍ୱଂସ ହୋଇସାରିଛି ।
ଇରାନ ମଧ୍ୟ ତା’ର ଜିଦରେ ଅଟଳ ରହି ମଧ୍ୟପ୍ରାଚ୍ୟରୁ ଅନ୍ୟ ଦେଶକୁ ଜାହାଜ ଯୋଗେ ତେଲ ଓ ରନ୍ଧନ ଗ୍ୟାସ ପରିବହନର ଏକମାତ୍ର ଜଳପଥ ଷ୍ଟ୍ରେଟ୍ ଅଫ ହର୍ମୁଜକୁ ବନ୍ଦ କରି ରଖିଛି ।
ତେଣେ ସମୁଦ୍ର ତଳେ ଯାଇଥିବା ଅନ୍ତର୍ଜାତୀୟ ଇଂଟରନେଟ ଡାଟା କେବୁଲକୁ କାଟିଦେବାକୁ ଇରାନ ଧମକ ଦେବା ପରେ ଟ୍ରମ୍ପଙ୍କ ଚେତା ହଜିଯାଇଛି ।
କାରଣ ଯଦି ଇରାନ ଏଭଳି କରେ ତା’ହେଲେ ସାରା ବିଶ୍ୱର ଅଧିକାଂଶ ରାଷ୍ଟ୍ରଗୁଡ଼ିକର ଅନ୍ଲାଇନ୍ ଯୋଗାଯୋଗ, ବାଣିଜ୍ୟ, କାରବାର ଓ ସେବା ଆଦି ସମ୍ପୂର୍ଣ୍ଣ ଠପ୍ ହୋଇଯିବାର ଆଶଙ୍କା ଦେଖାଯାଇଥିଲା ।
ଏଣୁ ଏଥିରେ ଟ୍ରମ୍ପ ଡରିଯାଇ ଇରାନ ସହ ୫ ଦିନିଆ ଅସ୍ତ୍ରବିରତି ଡାକରା ଦିଆଯାଇଛି । ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ ନ କରିବାକୁ ଏବଂ ଆଗକୁ ଇରାନ କୌଣସି ପରମାଣୁ କାର୍ଯ୍ୟକ୍ରମ କରିବ ନାହିଁ ବୋଲି ଇରାନ ସହମତି ପ୍ରକାଶ କରିବା ପରେ ତା’ ଉପରେ ଆଉ ଆ୍ରକ୍ରମଣ କରାଯିବ ନାହିଁ, ଆକ୍ରମଣକୁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହୁଥିବାବେଳେ ସେ ପଛଘୁଂଚା ଦେଇ ଏଭଳି ୫ ଦିନିଆ ଅସ୍ତ୍ରବିରତି ପାଇଁ ଘୋଷଣା କରିଛନ୍ତି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ରଖିଛନ୍ତି ।