ପାଲଟା ଆକ୍ରମଣ ଭୟରେ ପଛକୁ ହଟିଛନ୍ତି ଟ୍ରମ୍ପ : ଇରାନ
ଟ୍ରମ୍ପଙ୍କ ଏହା ଏକତରଫା ଘୋଷଣା
ଗତ ଶନିବାର ହର୍ମୁଜ ପ୍ରଣାଳୀକୁ ନ ଖୋଲିଲେ ଇରାନର ସମସ୍ତ ପାୱାର ପ୍ଲାଂଟ ଓ ଏନର୍ଜି ଷ୍ଟ୍ରକଚରକୁ ଧ୍ୱଂସ କରି ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଧମକ ଦେବା ସହ ଏଥିପାଇଁ ଇରାନକୁ ୪୮ ଘଂଟାର ଅଲଟିମେଟମ ଦେଇଥିଲେ ।
ତଦନୁଯାୟୀ ସୋମବାର ଏହି ଅଲଟିମେଟମ ସରିଯାଇଥିଲା ଏବଂ ଟ୍ରମ୍ପ ଦେଇଥିବା ଧମକ ଅନୁଯାୟୀ ସୋମବାର ଇରାନର ସମସ୍ତ ପାୱାର ପ୍ଲାଂଟ ଉପରେ ଆମେରିକା ପ୍ରଚଣ୍ଡ ଆକ୍ରମଣ କରିବ ବୋଲି ସମସ୍ତେ ଆଶଙ୍କା କରୁଥିଲେ ।
କିନ୍ତୁ ଟ୍ରମ୍ପ ସମସ୍ତଙ୍କ ଆଶଙ୍କାକୁ ଉକ୍ରଣ୍ଠାରେ ପରିବର୍ତନ କରି ୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି ।
ଅନ୍ୟପଟେ ଇରାନ ପଟୁ ପାଲଟା ଆକ୍ରମଣର ଭୟ ଟ୍ରମ୍ପଙ୍କୁ ଘାରିବାରୁ ସେ ଘାବରେଇ ଯାଇ ଏଭଳି ଏକତରଫା ଯୁଦ୍ଧ ଘୋଷଣା କରିଛନ୍ତି ବୋଲି ଇରାନ କହିଛି ।
ଯଦି ଆମେରିକା ପଟୁ ଇରାନର ପାୱାର ପ୍ଲାଂଟ ଉପରେ ଆକ୍ରମଣ କରାଯାଏ ତା’ହେଲେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସମସ୍ତ ସାମରିକ ଘାଟି ଏବଂ ବେସାମରିକ ପାୱାର ପ୍ଲାଂଟକୁ ସମୂଳେ ଧ୍ୱଂସ କରିଦିଆଯିବ ବୋଲି ଇରାନ କଡ଼ା ଚେତାବନୀ ଦେଇଥିଲା ।
ଯଦି ଏଭଳି ହୁଏ ତା’ହେଲେ ସମଗ୍ର ମଧ୍ୟପ୍ରାଚ୍ୟ ବିଜୁଳି ବିନା ଘନ ଅନ୍ଧକାର ଭିତରକୁ ଠେଲି ହୋଇଯିବ ଏବଂ ଏଥିଯୋଗୁଁ ସେଠାରେ ରହୁଥିବା ଆମେରିକୀୟ ସେନା ଓ ନାଗରିକ ବହୁ ଅସୁବିଧାର ସମ୍ମୁଖୀନ ହେବା ଜାଣିପାରି ଟ୍ରମ୍ପ ତରବରିଆ ଭାବେ ଏଭଳି ୫ ଦିନିଆ ଯୁଦ୍ଧବିରତି କରିଛନ୍ତି ବୋଲି ଇରାନ କହିଛି ।
ତେବେ ଇରାନ ଯୁଦ୍ଧବିରତି ପାଇଁ କହିନାହିଁ ବରଂ ଏହା ଟ୍ରମ୍ପଙ୍କ ଏକତରଫା ଘୋଷଣା ବୋଲି ଇରାନ ଆଡ଼ୁ ସ୍ପଷ୍ଟ କରାଯାଇଛି ।