ବୁଶହର ପରମାଣୁ କେନ୍ଦ୍ର ନିକଟରେ ବିମାନ ଆକ୍ରମଣ
ଇରାନର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ।
ରିପୋର୍ଟ ଅନୁସାରେ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପଶ୍ଚିମ ଏସିୟ କ୍ଷେତ୍ରରେ ବଢ଼ୁଥିବା ଉତେଜନା ମଧ୍ୟରେ ଏହି ଘଟଣା ଘଟିଛି ।
ଏହି ଆକ୍ରମଣ କିଏ କରିଛି କିମ୍ବା ଏହା ପଛରେ କେଉଁ ଉଦେ୍ଦଶ୍ୟ ଲୁଚି ରହିପାରେ ତାହା ଏପର୍ଯ୍ୟନ୍ତ ଇରାନର ପରମାଣୁ ସଂସ୍ଥା ସ୍ପଷ୍ଟ କରିପାରି ନାହିଁ ।
ବୁଶହର ପରମାଣୁ କେନ୍ଦ୍ର ଇରାନର ଶକ୍ତି ଉତ୍ପାଦନ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି କେନ୍ଦ୍ର ଇରାନର ପରମାଣୁ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର । ସଂଘର୍ଷ ସମୟରେ ବୁଶହର ପରମାଣୁ ପ୍ରତିଷ୍ଠାନ ଉପରେ ଏହା ଚତୁର୍ଥ ଆକ୍ରମଣ ବୋଲି ଜଣାପଡ଼ିଛି ।
ଏହି ଆକ୍ରମଣ ଯୋଗୁଁ ପ୍ଲାଂଟର ମୂଳ ଉପାଦାନଗୁଡ଼ିକର କୌଣସି କ୍ଷତି ହୋଇନାହିଁ ।
ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇନାହିଁ । ଦକ୍ଷିଣ ଇରାନର ପାରସ୍ୟ ଉପସାଗରରେ ଅବସ୍ଥିତ ବୁଶହର ପରମାଣୁ କେନ୍ଦ୍ର ହେଉଛି ଦେଶର ପ୍ରଥମ ବାଣିଜି୍ୟକ ପରମାଣୁ ଶକ୍ତି କେନ୍ଦ୍ର ।