ଅସ୍ତ୍ରବିରତି ନେଇ ଇରାନ-ଆମେରିକା ଆଲୋଚନା ଜାରି
ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି, ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ ।
ଏହି ଚେତାବନୀ ଏପରି ଏକ ସମୟରେ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବେସାମରିକ ଭିତିଭୂମିକୁ ନଷ୍ଟ କରିବାକୁ ଧମକ ଦେଇଛନ୍ତି । ଏକ ନୂତନ ରିପୋର୍ଟ ଅନୁଯାୟୀ ଆମେରିକା, ଇରାନ ଏବଂ ଆଂଚଳିତ ମଧ୍ୟସ୍ଥତା ଗୋଷ୍ଠୀ ଏକ ସମ୍ଭାବ୍ୟ ୪୫ଦିନିଆ ଅସ୍ତ୍ରବିରତିର ସର୍ତାବଳୀ ଉପରେ ଆଲୋଚନା କରୁଛନ୍ତି ।
ମଧ୍ୟସ୍ଥିମାନେ ୪୫ଦିନ ଅସ୍ତ୍ରବିରତି ପାଇଁ ଶେଷ ପ୍ରୟାସ କରୁଛନ୍ତି । ଏହି ପ୍ରସ୍ତାବିତ ଅସ୍ତ୍ରବିରତିକୁ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ମଧ୍ୟସ୍ଥିମାନେ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ଏକ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ ।
ରିପୋର୍ଟ ଅନୁଯାୟୀ ଆଲୋଚନାରେ ସାମିଲ ଥିବା ଆମେରିକୀୟ, ଇସ୍ରାଏଲୀ ଏବଂ ଅଂଚଳିତ ସୂତ୍ରଗୁଡ଼ିକ ଏହାକୁ ନିଶ୍ଚିତ କରିଛନ୍ତି । ସୂତ୍ରଗୁଡ଼ିକ କହିଛନ୍ତି ଯେ ଆଗାମୀ ୪୮ଘଂଟା ମଧ୍ୟରେ ଆଂଶିକ ଚୁକ୍ତି ହେବାର ସମ୍ଭାବନା ବହୁ କମ । ତଥାପି ଏହି ପ୍ରୟାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
କାରଣ ଏହା ଏକ ପୂର୍ଣ୍ଣସ୍ତରର ସଂଘର୍ଷକୁ ଏଡାଇବା ପାଇଁ ଶେଷ ସୁଯୋଗ ହୋଇପାରେ । ଯେଉଁଥିରେ ଇରାନର ନାଗରିକ ଭିତିଭୂମି ଉପରେ ବଡ଼ ଧରଣର ଆକ୍ରମଣ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ଶକ୍ତି ଏବଂ ଜଳ ସୁବିଧା ଉପରେ ପତିଶୋଧମୂଳକ ଆକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।
ଯଦି ଆଲୋଚନା ବିଫଳ ହୁଏ, ତେବେ ପରିସ୍ଥିତି ଦ୍ରୁତଗତିରେ ଖରାପ ହୋଇପାରେ, ଯାହା ସମଗ୍ର ଅଂଚଳରେ ଅସ୍ଥିରତା ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇପାରେ ।
ଜଣାପଡ଼ିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଦ୍ୱାରା ତେହେରାନକୁ ଚୁକ୍ତିନାମା ଗ୍ରହଣ କରିବା ଏବଂ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଦିଆଯାଇଥିବା ସମୟସୀମା ଶେଷ ହେବା ପୂର୍ବରୁ ଆଗାମୀ ୪୮ଘଂଟା ମଧ୍ୟରେ ଏକ ଅସ୍ତ୍ରବିରତି ସ୍ଥିର ପାଇଁ ଚୂଡ଼ାନ୍ତ ପ୍ରୟାସ କରାଯାଉଛି ।