କାଲି ସରୁଛି ଟ୍ରମ୍ପଙ୍କ କଂଟ, ସରୁନି ଯୁଦ୍ଧ
ମଙ୍ଗଳବାର ସୁଦ୍ଧା ହର୍ମୁଜ ପ୍ରଣାଳୀ ଖୋଲ, ନଚେତ ସର୍ବନାଶ : ଟ୍ରମ୍ପ
ଆସନ୍ତା କାଲି ମଙ୍ଗଳବାର ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ୧୦ ଦିନିଆ ଯୁଦ୍ଧବିରତି କଂଟ ସରୁଛି; କିନ୍ତୁ ସରୁନି ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ।
ପ୍ରାୟ ମାସେରୁ ଊଦ୍ଧ୍ୱର୍ କାଳ ପର୍ଯ୍ୟନ୍ତ ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ଆଗକୁ ଆଉ କେତେଦିନ ଚାଲିବ ତା’କୁ ନେଇ ସାରା ବିଶ୍ୱ ଚିନ୍ତିତ ।
ପ୍ରାୟ ମାସେ କାଳରୁ ଅଧିକ ଦିନ ଚାଲିଥିବା ଯୁଦ୍ଧରେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ର ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଯାଇଛି ଇରାନ ।
ଯୁଦ୍ଧର ପ୍ରଥମ ଦିନରେ ଇରାନ ତା’ର ସର୍ବୋଚ ନେତା ଅଲୀ ଆୟୋତଲା ଖେମିନେଇଙ୍କ ସମେତ ଅନେକ କମାଣ୍ଡର ଏବଂ ପରେ ଗୁଇନ୍ଦା ମୁଖ୍ୟ ଏବଂ ଆଜି ଆରଜିଏସ୍ ଫୋର୍ସର ମୁଖ୍ୟଙ୍କୁ ମଧ୍ୟ ହରାଇସାରିଛି ।
ତଥାପି ମୁଣ୍ଡ ନୁଆଁଉନି ଇରାନ; ବରଂ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନାକୁ ଘାଟି ପାଇଁ ଜାଗା ଦେଇଥିବା ଦେଶଗୁଡ଼ିକ ଉପରେ ଆକ୍ରମଣକୁ ଆହୁରି ଶାଣିତ କରିଚାଲିଛି ।
ଗୋଟିଏ ପଟେ ଏହି ଯୁଦ୍ଧରେ ଇରାନକୁ ପ୍ର୍ସ୍ତର ଯୁଗରେ ପହଂଚାଇ ଦେବୁ ବୋଲି ଟ୍ରମ୍ପ କହିଥିବାବେଳେ ଇରାନ ତା’ର ଜବାବରେ ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟରେ ପରୋକ୍ଷରେ ଆମେରିକାକୁ ସହାୟତା ଯୋଗାଉଥିବା ୟୁଏଇ, ଓମାନ, ବାହାରିନ, ଜୋର୍ଡାନ ଆଦି ଦେଶଗୁଡ଼ିକ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ।
ଫଳରେ ମଧ୍ୟପ୍ରାଚ୍ୟ ଏବେ ହୁ ହୁ ହୋଇ ଜଳୁଛି ।
ଅନ୍ୟପଟେ ଯଦି ମଙ୍ଗଳବାର ସୁଦ୍ଧା ଯଦି ଇରାନ ହର୍ମୁଜ ପ୍ରଣାଳୀକୁ ନ ଖୋଲେ ତା’ହେଲେ ତା’ର ସମସ୍ତ ବି୍ରଜ, ଭିତିଭୂମି ଏବଂ ସମସ୍ତ ଶକ୍ତି କେନ୍ଦ୍ରକୁ ଧ୍ୱଂସ କରିଦିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଚେତାବନୀ ଦେଇସାରିଛନ୍ତି ।
ଏ ନେଇ ଇସ୍ରାଏଲ ଗଣମାଧ୍ୟମ ଜେରୁଜେଲମ ପୋଷ୍ଟ କହିିଛି ଯେ, ପରବର୍ତୀ ପର୍ଯ୍ୟାୟରେ ଇରାନର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରାଯିବ ଏବଂ ଏହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି ।