ରୁଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ୧୦ ଭାରତୀୟଙ୍କ ମୃତ୍ୟୁ
ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ସଂଘର୍ଷରେ ୧୦ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ନେଇ କେନ୍ଦ୍ର ସରକାର ଶନିବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।
ଚାକିରି ଆଶାରେ ରୁଷ ଯାଇଥିବା ଏହି ଭାରତୀୟମାନେ ପରବର୍ତୀ ସମୟରେ ଯୁଦ୍ଧକ୍ଷେତ୍ରରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ ।
ସୁପ୍ରିମକୋର୍ଟରେ ୨୬ଜଣ ଭାରତୀୟଙ୍କ ପରିବାର ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦାଖଲ ହୋଇଥିବା ଏକ ମିଳିତ ଆବେଦନାର ଶୁଣାଣି ସମୟରେ ଏହି ଚକିତ କଲାଭଳି ତଥ୍ୟ ସମ୍ମୁଖକୁ ଆସିଛି । ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଂଚକୁ ଜଣାଇଛନ୍ତି ଯେ ସେହି ୨୬ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ବାକି ୧୬ଜଣଙ୍କ ମଧ୍ୟରୁ ଜଣେ ଅପରାଧିକ ମାମଲାରେ ରୁଷ ଜେଲରେ ଅଛନ୍ତି ଏବଂ ଅନ୍ୟ ଜଣେ ନିଜ ଇଚ୍ଛାରେ ଯୁଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ ହରିଆଣା, ରାଜସ୍ଥାନ, ପଞ୍ଜାବ ଓ ହିମାଚଳ ପ୍ରଦେଶରୁ ପ୍ରାୟ ୨୧୫ଜଣ ଭାରତୀୟ ଏଜେଂଟଙ୍କ ଜରିଆରେ ରୁଷ ଯାଇଥିଲେ । ଏହି ସମ୍ବେଦଶୀଳ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରଭାବିତ ପରିବାରଗୁଡ଼ିକୁ ସାହାଯ୍ୟ କରିବା ଏବଂ ମୃତକଙ୍କ ପାର୍ଥିକ ଶରୀର ଫେରାଇ ଆଣିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ତେବେ କିଛି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ପକ୍ଷରୁ ଅସହଯୋଗ କରାଯାଉଥିବା ନେଇ ଏସ ଜି ଭାଟି ଅଭିଯୋଗ କରିଛନ୍ତି ।
ଏପରିକି ଜଣେ ମୃତକଙ୍କ ପରିବାର ପାର୍ଥିକ ଶଣୀର ଗ୍ରହଣ ନ କରି ସରକାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା କଥା ସେ ଅଦାଲତଙ୍କୁ ଜଣାଇଛନ୍ତି । ଅଧିକାଂଶ ଭାରତୀୟ ଚାକିରି ପାଇଁ ଏଜେଂଟଙ୍କ ସହ ଚୁକ୍ତି କରି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରତାରଣା କରି ଯୁଦ୍ଧ କ୍ଷେତ୍ରକୁ ଠେଲି ଦିଆଯାଇଥିବା ସରକାର ସ୍ୱୀକାର କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଆବେଦନକାରୀଭ୍କ ଓକିଲ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରି କହିଛନ୍ତି ଯେ ଏହା ସରକାରଙ୍କ ଅକ୍ଷମତା ନୁହେଁ, ବରଂ ସମ୍ପୂର୍ଣ୍ଣ ଅସହଯୋଗ ମାମଲା । ବାରମ୍ବାର ନିବେଦନ ଏବଂ ବିଦେଶ ମନ୍ତ୍ରଣାଳୟକୁ ୧୨୦ରୁ ଅଧିକ ପତ୍ର ଲେଖିବା ସତ୍ୱେ କର୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ କୌଣସି ଗମ୍ଭୀରତା ଦେଖାଇନାହାଁନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟ ବିଚାରପତି ନିଜର ମତ ରଖି କହିଛନ୍ତି ଯେ ଯୁଦ୍ଧଗ୍ରସ୍ତ ଅଂଚଳରୁ ଡିଏନଏ ନମୁନା ସଂଗ୍ରହ କରିବା ଏକ ଅତି ଜଟିଳ ଏବଂ କଷ୍ଟକର କାର୍ଯ୍ୟ ।
ଏହି ମାମଲା ଏବେ ଜାତୀୟ ସ୍ତରରେ ଉଦବେଗ ସୃଷ୍ଟି କରିଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଫସି ରହିଥିବା ଅନ୍ୟ ଭାରତୀୟଙ୍କ ସୁରକ୍ଷାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି ।