ଇରାନର ୭ ନୌକା ଧ୍ୱଂସ କଲା ଆମେରିକା ସେନା
ହର୍ମୁଜ ପ୍ରଣାଳୀରେ ଆମେରିକା ଓ ଇରାନର ସେନା ପୁଣି ମହାଁମୁହିଁ ହୋଇଛନ୍ତି ।
ଆମେରିକୀୟ ନୌସେନା ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହର୍ମୁଜ ପ୍ରଣାଳୀରେ ଇରାନର ୭ଟି ଛୋଟ ନୌକାକୁ ଧ୍ୱଂସ କରି ଦେଇଛି । ବାଣିଜ୍ୟିକ ଜାହାଜଗୁଡ଼ିକ ସୁରକ୍ଷା ଦେବା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ଖୋଲିବା ଉଦେ୍ଦଶ୍ୟରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ହର୍ମୁଜ ପ୍ରଣାଳୀରେ ଇରାନର ଦମଦବା ହଟାଇବା ତଥା ଫସି ରହିଥିବା ଶହଶହ ବାଣିଜ୍ୟିକ ଜାହାଜକୁ ବାହାର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶାଳ ସାମରିକ ଅଭିଯାନ ‘ପ୍ରୋଜେକ୍ଟ ଫ୍ରିଡମ’ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଆମେରିକୀୟ ନୌସେନାର ଦୁଇଟି ଡେଷ୍ଟ୍ରୋୟର ଜାହାଜ ୟୁଏସଏସ ଟ୍ରକ୍ସଟନ ଏବଂ ୟୁଏସଏସ ମାସନ ଆପାଚେ ହେଲିକପ୍ଟର ଏବଂ ଏଫ-୧୬ ବିମାନର ସହାୟତାରେ ଏହି ଜଳପଥ ଦେଇ ସଫଳତାର ସହ ଅତିକ୍ରମ କରିଛନ୍ତି । ଏହି ଅଭିଯାନରେ ପ୍ରାୟ ୧୫ହଜାର ଆମେରିକୀୟ ସୈନ୍ୟ ଏବଂ ଶହେରୁ ଊର୍ଦ୍ଧ ଯୁଦ୍ଧ ବିମାନ ସାମିଲ ଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁଯାୟୀ ଆମେରିକୀୟ ବାଣିଜ୍ୟିକ ଓ ସାମରିକ ଜାହାଜଗୁଡ଼ିକ ଏହି ପ୍ରଣାଳୀ ଦେଇ ଯାଉଥିବା ସମୟରେ ଇରାନ ପକ୍ଷରୁ କ୍ରୁଜ କ୍ଷେପଣାସ୍ତ୍ର, ଡ୍ରୋନ ଏବଂ ଛୋଟ ନୌକା ମାଧ୍ୟମରେ ଆକ୍ରମଣ କରାଯାଇଥିଲା । ୟୁଏସ ସେଂଟ୍ରାଲ କମାଣ୍ଡର ମୁଖ୍ୟ ଆଡମିରାଲ ବ୍ରାଡ କୁପର ସ୍ପଷ୍ଟ କରିଛନ୍ତି ଯେ ଆମେରିକୀୟ ସେନା ନିଜର ଆତ୍ମରକ୍ଷା ପାଇଁ କଡ଼ା ଜବାବ ଦେଇଥିଲା ଏବଂ ପ୍ରତିରକ୍ଷା କୌଶଳ ମାଧ୍ୟମରେ ସମସ୍ତ ବିପଦକୁ ନଷ୍ଟ କରି ଦେଇଥିଲା ।
ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆମେରିକୀୟ ସେନା ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ଇରାନର ୭ଟି ଛୋଟ ନୌକାକୁ ଧ୍ୱଂସ କରି ଦେଇଛି । ଘଟଣା ପରେ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ସମଗ୍ର ମଧ୍ୟପ୍ରାଚ୍ୟରେ ଅଶାନ୍ତି ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଇରାନର ସରକାରୀ ଗଣମାଧ୍ୟମ ଆମେରିକାର ଏହି ଦାବିକୁ ଖଣ୍ଡନ କରିବା ସହ ସେମାନଙ୍କର କୌଣସି ନୌକା ଧ୍ୱଂସ ହୋଇ ନଥିବା ଦାବି କରିଛି ।
ଅନ୍ୟପଟେ ଇରାନର ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଆମେରିକା ହର୍ମୁଜ ପ୍ରଣାଳୀରେ ନିଜର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ଜଣାପଡ଼ିଛି ।