ଯୁଦ୍ଧ ଶେଷ ହେବା ନେଇ କ୍ରୋଧିତ ବେଞ୍ଜାମିନ
ଇରାନ ଯୁଦ୍ଧକୁ ନେଇ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ମତଭେଦ ରିପୋର୍ଟ ସାମ୍ନାକୁ ଆସିଛି ।
ଗୋଟିଏ ପଟେ ଇସ୍ରାଏଲ ଆକ୍ରମଣ ପୁଣି ଆରମ୍ଭ କରିବାକୁ ଚାହୁୂଁଛି, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଆଲୋଚନା ମାଧ୍ୟମରେ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇ ନେତାଙ୍କ ମଧ୍ୟରେ ଫୋନ କଲରେ କଳି ହୋଇଛି ।
ଯୁଦ୍ଧ ଶେଷ କରିବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ନେତାନ୍ୟାହୁ କ୍ରୋଧ ପ୍ରକାଶ କରିଥିବା ଜଣାପଡ଼ିଛି । ଇରାନରେ ଆମେରିକା ଓ ଇସ୍ରାଏଲର ଉଦେ୍ଦଶ୍ୟ ଏବେ ଭିନ୍ନ ଦେଖାଯାଉଛି । ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ମଧ୍ୟବର୍ତୀକାଳୀନ ନିର୍ବାଚନକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି, ଅନ୍ୟପଟେ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ପୁଣି ଆରମ୍ଭ କରିବାକୁ ଏବଂ ଇରାନର ସାମରିକ ଶକ୍ତି ଏବଂ ଭିତିଭୂମିକୁ ଆହୁରି ଦୁର୍ବଳ କରିବାକୁ ଚାହୁଁଛନ୍ତି ।
ରିପୋର୍ଟ ଅନୁସାରେ ଜଣାପଡ଼ିଛି ଯେ ଟ୍ରମ୍ପ ଏବଂ ନେତାନ୍ୟାହୁ ପ୍ରାୟ ଏକ ଘଂଟା ଧରି ଆଲୋଚନା କରିଥିଲେ । ଏହି ସମୟ ମଧ୍ୟରେ ନେତାନ୍ୟାହୁ ଇରାନ ଉପରେ ବିମାନ ଆକ୍ରମଣ ପୁନଃ ଆରମ୍ଭ କରିବାକୁ ଦାବି କରିଥିଲେ । ତଥାପି ଟ୍ରମ୍ପ ଜୋର ଦେଇଥିଲେ ଯେ ବଳ ପ୍ରୟୋଗ କରିବା ପୂର୍ବରୁ କୁଟନୀତିକୁ ଏକ ସୁଯୋଗ ଦିଆଯାଉ ।
ଏକ୍ସିଓସର ଏକ ରିପୋର୍ଟ ଅନୁଯାୟୀ ଆଲୋଚନା ବେଶ ସରଗରମ ଥିଲା । ରିପୋର୍ଟରେ କୁହାଯାଇଚି ଯେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଶାନ୍ତି ଆଲୋଚନା ପ୍ରତି ସନେ୍ଦହ ପ୍ରକାଶ କରୁଛନ୍ତି । ଯୁଦ୍ଧ ପୁଣି ଆରମ୍ଭ କରି ତେହେରାନର ସାମରିକ ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତିଭୂମିକୁ ଆହୁରି ଦୁର୍ବଳ କରିବାକୁ ସେ ଚାହୁଁଛନ୍ତି ।
ଜଣାପଡ଼ିଛି ଯେ ଏହିି ଚୁକ୍ତି ପରେ ୩୦ଦିନିଆ ଆଲୋଚନା ଅନୁଷ୍ଠିତ ହେବ । ଯେଉଁଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ହର୍ମୁଜ ପ୍ରଣାଳୀ ଖୋଲିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । କିନ୍ତୁ ଇସ୍ରାଏଲୀ ସୂତ୍ର କହିଛନ୍ତି ଯେ ନେତାନ୍ୟାହୁ ଟ୍ରମ୍ପଙ୍କ ରଣନୀତି ସହିତ ଏକମତ ନୁହଁନ୍ତି ।