ଆକାଶ ପଥ ବନ୍ଦ କଲା ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସଂପ୍ରତି ସାଧାରଣରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ଆମେରିକା ସହିତ ଯୁଦ୍ଧର ବଢ଼ୁଥିବା ଆଶଙ୍କା ମଧ୍ୟରେ ଇରାନ ହଠାତ ନିଜର ପଶ୍ଚିମ ଆକାଶ ସୀମାକୁ ବନ୍ଦ କରି ଦେଇଛି । ଇରାନର ଏହି ନିଷ୍ପତି ସମଗ୍ର ବିଶ୍ୱକୁ ଆଚମ୍ବିତ କରିଛି ।
ଅଂଚଳରେ ଯେକୌଣସି ସମୟରେ ଏକ ବଡ଼ ସାମରିକ ଆକ୍ରମଣ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହି ଉତେଜନା ୱାଶିଂଟନ ଉପରେ ମଧ୍ୟ ପ୍ରଭାବ ପକାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଇତି ମଧ୍ୟରେ ସମସ୍ତ ସରକାରୀ ଯାତ୍ରା ଏବଂ କାର୍ଯ୍ୟ ବାତିଲ କରିଥିବା ଜଣାପଡ଼ିଛି ।
ଏପରିକି ସେ ତାଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ବିବାହରେ ଯୋଗ ଦେବା ପରିବର୍ତେ ଜରୁରୀକାଳୀନ ପରିସ୍ଥିତିକୁ ସମ୍ଭାଳିବା ପାଇଁ ହ୍ୱାଇଟ ହାଉସକୁ ଫେରି ଆସିଛନ୍ତି । ଇରାନର ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷ ଏ ନେଇ ମେ ୨୫ ତାରିଖ ପର୍ଯ୍ୟନ୍ତ ନୋଟାମ ଜାରି କରିଛନ୍ତି ।
ସମ୍ବେଦନଶୀଳ ଅଂଚଳର ଆଠଟି ପ୍ରମୁଖ ବିମାନ ବନ୍ଦର ଏବେ କେବଳ ଦିବାଲୋକରେ କାର୍ଯ୍ୟ କରିବ । ଏହା ବ୍ୟତୀତ ପୂର୍ବରୁ ଅନୁମୋଦିତ ସମସ୍ତ ଉହାଣ ଅନୁମତିକୁ ତୁରନ୍ତ ବାତିଲ କରାଯାଇଛି । ଇରାନ ଆକାଶପଥକୁ ବନ୍ଦ କରିବାର କୌଣସି ସରକାରୀ କିମ୍ବା ଠୋସ କାରଣ ହୋଇନାହିଁ । କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ଏହା ଏକ ବଡ଼ ଆକ୍ରମଣ କିମ୍ବା ଗୁପ୍ତ ସାମରିକ ଅଭ୍ୟାସ ପାଇଁ ସୁରକ୍ଷା ପ୍ରସ୍ତୁତିର ଏକ ଅଂଶ ହୋଇପାରେ ।
ଫ୍ଲାଇଟ ଟ୍ରାକିଂ ତଥ୍ୟ ଏବଂ ସ୍ଥାନୀୟ ଗୁଇନ୍ଦା ରିପୋର୍ଟ ଅନୁସାରେ ଇରାନର ମେହରାବାଦ ବିମାନ ବନ୍ଦରରେ ସନେ୍ଦହଜନକ ଲଢ଼ୁଆ ବିମାନ ଏବଂ ବାୟୁସେନା କାର୍ଯ୍ୟକଳାପ ରେକର୍ଡ କରାଯାଇଛି । ତେହେରାନର ଆକାଶ ଉପରେ ଲଢ଼ୁଆ ବିମାନଗୁଡ଼ିକ ନିରନ୍ତର ଉଡୁଛନ୍ତି ।
ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ହୋଇଥିବା ସଂପ୍ରତି ଆକ୍ରମଣ ଯୋଗୁଁ ଏହି ଉତେଜନା ସୃଷ୍ଟି ହୋଇଛି । ଫଳରେ ଅସ୍ଥାୟୀ ଅସ୍ତ୍ରବିରତି ସଂକଟରେ ପଡ଼ିଛି । ୟୁରୋପୀୟ ବିମାନ ଚଳାଚଳ କର୍ତୃପକ୍ଷ ସମସ୍ତ ବାଣିଜ୍ୟିକ ବିମାନ କମ୍ପାନୀଗୁଡ଼ିକୁ ଏହି ଅଂଚଳରୁ ଦୂରେଇ ରହିବା ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି ।
ଇରାନର ଏହି ପଦକ୍ଷେପ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଛି । ଯାହାଦ୍ୱାରା ଦୁବାଇ, ଆବୁଧାବି ଏବଂ ଭାରତକୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।