ଚୀନ କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ
ଉତର ଚୀନର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି ।
ଗ୍ୟାସ ବିସ୍ଫୋରଣରେ ୮୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ଜଣ ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଏହା ଏକ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟଙ୍କର ଖଣି ଦୁର୍ଘଟଣା । ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଦାରକାରୀ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଚାଙ୍ଗଝି ସହରର ଲୁଶେନ୍ୟୁ କୋଇଲା ଖଣିରେ ଶୁକ୍ରବାର ରାତିରେ ବିସ୍ଫୋରଣ ଘଟିଥିଲା ।
ସେହି ସମୟରେ ଖଣି ଭିତରେ ପ୍ରାୟ ୨୫୦ଜଣ ଭଳି ଶ୍ରମିକ କାର୍ଯ୍ୟ କରୁଥିଲେ । ପ୍ରାୟ ସନ୍ଧ୍ୟା ସାଢ଼େ ସାତଟାରେ ଏହି ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣା ପରେ ଖଣିରେ କାର୍ବନ ମନୋକ୍ସାଇଡ ଗ୍ୟାସ ବହୁ ମାତ୍ରାରେ ମିଳିଥିଲା ।
ଏହି ଗ୍ୟାସ ଅତ୍ୟନ୍ତ ବିଷାକ୍ତ ଏବଂ ବିନା ଗନ୍ଧରେ ଲୋକଙ୍କ ଜୀବନ ନେଇପାରେ । ଆଜି ସକାଳେ ବହୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ ହେଁ ଅନେକେ ସେଥିରେ ଫସି ରହିଥିବା ଅନୁମାନ କରାଯାଉଛି । କେତେକଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି ।
ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।