୧୮ ଶରଣାର୍ଥୀ ମୃତ, ୩୫ ଆହତ
ଆଫଗାନିସ୍ତାନରେ ଏକ ଟ୍ରକ ଓଲଟି ପଡ଼ିବା ଫଳରେ ୧୮ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ସେମାନେ ସମସ୍ତେ ପାକିସ୍ତାନରୁ ଫେରୁଥିଲେ ।
ଦୁର୍ଘଟଣାରେ ୩୫ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ପାକିସ୍ତାନ ସଂପ୍ରତି ଶରଣାର୍ଥୀଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରୁଛି । ଏହି ଲୋକମାନେ ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରୁଥିଲେ । ମୃତକଙ୍କ ମଧ୍ୟରେ ୧୦ଜଣ ଶିଶୁ ଓ ୫ଜଣ ମହିଳା ଅଛନ୍ତି ।
ଅଧିକାରୀମାନେ କହିଛନ୍ତି ଯେ ଶନିବାର ପୂର୍ବ ଆଫଗାନିସ୍ତାନର ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଦେଶ ରାଜ୍ୟପାଳଙ୍କ ମୁଖପାତ୍ର ଅବଦୁଲ ମାଲିକ ନିୟାଜାଇ କହିଛନ୍ତି ଯେ ଲଘମାନ ପ୍ରଦେଶର କାବୁଲକୁ ନାଙ୍ଗରହାର ପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ଆହତମାନଙ୍କୁ ଚିକିତ୍ସା ପାଇଁ ନାଙ୍ଗରାହାରର ହସ୍ପିଟାଲକୁ ନିଆଯାଇଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।