ପାକିସ୍ତାନରେ ବିଦ୍ୟୁତ ସଂକଟ ରାତ୍ରି ୮ଟା ପରେ ବଜାର ଖୋଲିବା ମନା
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ନୂତନ ବନ୍ଦ ସମୟସାରଣୀ ଲାଗୁ କରାଯାଇଛି । ଯାହା ଅନୁଯାୟୀ ରାତ୍ରି ୮ଟା ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ କରିବା ବାଧ୍ୟତାମୂଳକ କରାଯାଇଛି ।
ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ଶକ୍ତି ମୂଲ୍ୟ ବୃଦ୍ଧିି ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଡେପୁଟି କମିସନର ଇରଫାନ ମେମନଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ସୋସିଆଲ୍ ମିଡିଆରେ ଘୋଷଣା କରିଛି ଯେ ଏଣିକି ନୂତନ ବଜାର ବନ୍ଦ ସମୟ ଲାଗୁ ହେବ । ବଜାରଗୁଡ଼ିକ ରାତ୍ରି ୮ଟା ସୁଦ୍ଧା ବନ୍ଦ ହେବା ଆବଶ୍ୟକ । ଯେତେବେଳେ ରେଷ୍ଟୁରାଂଟ ଏବଂ ତେଜରାତି ଦୋକାନଗୁଡ଼ିକ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ ।
ଇସଲାମବାଦ ଜିଲା ପ୍ରଶାସନ ଖର୍ଚ ହ୍ରାସ ପଦକ୍ଷେପର ଅଂଶ ସ୍ୱରୂପ ସଂଶୋଧିତ ବ୍ୟବସାୟ ସମୟ ଲାଗୁ କରିଥିବା ଜଣାପଡ଼ିଛି । ଯାହାଦ୍ୱାରା ବଜାର, ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦି ରାତ୍ରି ୮ଟାରେ ବନ୍ଦ କରାଯିବ । ଆହୁରି କୁହାଯାଇଛି ଯେ ବିବାହ ହଲ, ମାର୍କି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସ୍ଥାନଗୁଡ଼ିକ ମଧ୍ୟ ରାତ୍ରି ୧୦ାରେ ବନ୍ଦ ହେବ ।
ଔଷଧ ଦୋକାନ, ହସ୍ପିଟାଲ, ପେଟ୍ରୋଲ ପମ୍ପ ଭଳି ଜରୁରୀ ସେବା ନିମିତ ବ୍ୟବହୃତ ଅନୁଷ୍ଠାନ କିମ୍ବା ସଂସ୍ଥା ଏହି କଟକଣାରୁ ମୁକ୍ତ ରହିବେ ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ନିଜର ଶକ୍ତି ଆବଶ୍ୟକତା ପୂରଣ ପାଇଁ ହର୍ମୁଜ ପ୍ରଣାଳୀ ଉପରେ ନିର୍ଭର କରିଥାଏ । ସଂକଟ ସମୟରେ ଏହାର କିଛି ଟ୍ୟାଙ୍କରକୁ ଏହା ଦେଇ ଯିବାକୁ ଅନୁମତି ଦିଆଯାଇଥିବାବେଳେ ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ ଉପଲବ୍ଧ ପେଟ୍ରୋଲ, ଡିଜେଲ ତଥା ଏଲପିଜି ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି ।