ଇରାନରେ ଭୟଙ୍କର ଅଗ୍ନିକାଣ୍ଡ
ଇରାନର ରାଜଧାନୀ ତେହେରାନ ନିକଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।
ଆଣ୍ଡିସେ ସହରର ଆର୍ଘାଭାନ ସପିଂ ସେଂଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦ୍ୱାରା ବହୁ ଧନଜୀବନ ହାନି ଘଟିଛି ।
ସମଗ୍ର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜଣାପଡ଼ିଛି ଯେ ଅଗ୍ନିକାଣ୍ଡରେ ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୩୬ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଅଗ୍ନିକାଣ୍ଡ ସମୟରେ ସପିଂ ସେଂଟରରେ ଅତ୍ୟାଧିକ ଭିଡ଼ ଥିବା କୁହାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ।
ଅଗ୍ନିଶମ କର୍ମଚାରୀମାନେ ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଟେଲିଭିଜନ ଫୁଟେଜରେ ବହୁ ମହଲା କୋଠାରୁ କଳା ଧୂଆଁ ବାହାରି ସମଗ୍ର ଆକାଶକୁ ଘୋଟି ଯାଇଥିବା ଦେଖାଯାଇଛି । ତେବେ ଇରାନର ସରକାରୀ ଟେଲିଭିଜନ ଆଇଆରଆଇବି ରିପୋର୍ଟ ପ୍ରକାଶ କରିଛି ଯେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।
ସଂପୃକ୍ତ କର୍ତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି । ତଦନ୍ତ ସମାପ୍ତ ହେବା ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ । ଅଗ୍ନିକାଣ୍ଡ ପଛରେ କୌଣସି ଶତ୍ରୁତା କିମ୍ବା ବାହ୍ୟ ଆକ୍ରମଣର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।
ପ୍ରଶାସନ ଏହାକୁ କେବଳ ଏକ ଦୁଃଖଦ ଦୁର୍ଘଟଣା ଭାବେ ମନେ କରୁଛି । ଅଗ୍ନିକାଣ୍ଡ ଯୋଗୁଁ ବହୁ ପରିମାଣର ସାମଗ୍ରୀ ପୋଡ଼ି ଭସ୍ମିଭୂତ ହୋଇଯାଇଛି ।