ମଣିଷ ଜାତିର ବିନାଶ ଘଟାଇବ ‘ଏଆଇ’
କୋର୍ଟରେ ଚେତାବନୀ ଦେଲେ ଏଲନ ମସ୍କ
ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତଥା ଟେସଲା ମୁଖ୍ୟ ଏଲନ ମସ୍କ କୃତ୍ରିମ ବୁଦ୍ଧିମତା (ଏଆଇ)ର ଭବିଷ୍ୟତକୁ ନେଇ ଏକ ଅତ୍ୟନ୍ତ ଚାଂଚଲ୍ୟକର ସଂକେତ ଦେଇଛନ୍ତି ।
ବୁଧବାର କାଲିଫର୍ଣ୍ଣିଆର ଏକ କୋର୍ଟରେ ଓପନ ଏଆଇ ବିରୋଧରେ ଚାଲିଥିବା ଆଇନଗତ ଲଢ଼େଇ ସମୟରେ ସାକ୍ଷ୍ୟ ଦେଇ ମସ୍କ ସତର୍କ କରାଇଛନ୍ତି ଯେ ଏଆଇ ମଣିଷ ଜାତି ପାଇଁ ସବୁଠୁ ବଡ଼ ବରଦାନ ସାବ୍ୟସ୍ତ ହୋଇପାରେ, କିନ୍ତୁ ଏହା ସମଗ୍ର ମାନବ ସମାଜକୁ ଶେଷ କରିଦେଇପାରେ ।
ସେ ହଲିଉଡ ଚଳଚ୍ଚିତ୍ର ‘ଟର୍ମିନେଟର’ର ଉଦାହରଣ ଦେଇ କହିଛନ୍ତି ଯେ ଆମେ ଏପରି ଏକ ଅନ୍ଧକାରମୟ ଭବିଷ୍ୟତ ଆଡ଼କୁ ଗତି କରିବା ଅନୁଚିତ, ଯେଉଁଠାରେ ମେସିନ ମଣିଷକୁ ନିୟନ୍ତ୍ରଣ କରିବ, ବରଂ ଆମକୁ ‘ଷ୍ଟାର ଟ୍ରେକ’ ଭଳି ଏକ ଆଶାବାଦୀ ଓ ସକାରାତ୍ମକ ଦୁନିଆକୁ ଗଢ଼ିବାକୁ ହେବ ।
ମସ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଓପନ ଏଆଇ ପ୍ରତିଷ୍ଠା କରିବା ସମୟରେ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ମଣିଷ ଜାତିର କଲ୍ୟାଣ ପାଇଁ ମାଗଣାରେ ଏବଂ ଖୋଲାଖୋଲି ଭାବେ ଆଇର ବିକାଶ କରିବା, କିନ୍ତୁ ବର୍ତମାନ କମ୍ପାନୀ ସେହି ଆଦର୍ଶରୁ ଓହରି ଯାଇ କେବଳ ବ୍ୟବସାୟିକ ଲାଭ ଏବଂ କ୍ଷମତା ପଛରେ ଗୋଡ଼ାଇଛି ।
ମସ୍କ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅତି ଶୀଘ୍ର ଏଆଇ ମଣିଷର ବୁଦ୍ଧିକୁ ଅତିକ୍ରମ କରିଯିବ ଏବଂ ସମୟ ପୂର୍ବରୁ ଆମ୍ଭମାନଙ୍କୁ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ହେବ ।
ଅନ୍ୟପକ୍ଷରେ ‘ଓପନ ଏଆଇ’ ପକ୍ଷରୁ ମସ୍କଙ୍କ ଏହି ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି । କମ୍ପାନୀର ଏକିଲମାନେ ଯୁକ୍ତି ବାଢ଼ିଛନ୍ତି ଯେ ଚାଟ-ଜିପିଟିର ବିଶ୍ୱବ୍ୟାପୀ ସଫଳତା ଦେଖି ଏଲନ ମସ୍କ ହତାଶ ହୋଇପଡ଼ିଛନ୍ତି ଏବଂ ନିଜର ବ୍ୟବସାୟିକ ପ୍ରତିଦ୍ୱ୍ନ୍ଦ୍ୱିତା ଯୋଗୁଁ ସେ କୋର୍ଟରେ ଏଭଳି ଚାଂଚଲ୍ୟକର ଓ ଆତଙ୍କ ସୃଷ୍ଟିକାରୀ ବୟାନ ଦେଇଛନ୍ତି ।
ମସ୍କ ନିଜର ବ୍ରେନ-ଚିପ କମ୍ପାନୀ ‘ନ୍ୟୁରାଲିଙ୍କ’ ମାଧ୍ୟମରେ ମଣିଷ ଓ ମେସିନ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିବା କହିଥିବାବେଳେ ସିଲିକନ ଭ୍ୟାଲିର ଦୁଇ ବଡ଼ ନାମ ଏଲନ ମସ୍କ ଓ ସାମ ଅଲ୍ଟମ୍ୟାନଙ୍କ ମଧ୍ୟରେ ଚାଲିଥିବା ଏହି ଆଇନଗତ ଯୁଦ୍ଦ ଏବେ ସମଗ୍ର ବିଶ୍ୱର ବୈଷୟିକ ଇତିହାସରେ ଏକ ନୂଆ ମୋଡ଼ ଆଣିଛି ।