ଇରାନକୁ ଡରିଗଲେ କି ଟ୍ରମ୍ପ
୧୪ ଦିିନିଆ ଯୁଦ୍ଧବିରତିର ରହସ୍ୟ
ଗତ ୪୮ ଘଂଟା ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯିଏ କି ଇରାନକୁ ମାଟିରେ ମିଶାଇଦେବେ ବୋଲି କହିବୁଲୁଥିଲେ । ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବାକୁ ଧମକାଉଥିଲେ । ନହେଲେ ଏକ ସଭ୍ୟତା ମଙ୍ଗଳବାର ରାତି ପାହିଲାବେଳକୁ ପୃଥିବୀରୁ ଧ୍ୱଂସ ପାଇଯିବ ବୋଲି କହୁଥିଲେ ସେ ହଠାତ କାହିଁକି ମଙ୍ଗଳବାର ବିଳମ୍ବିତ ରାତିରେ ଏକ ୧୪ ଦିନିଆ ଯୁଦ୍ଧବିରତି ଘୋଷଣା କଲେ ତାହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ।
ତେବେ କୂଟନୈତିକ ବିଶେଷଜ୍ଞ ଓ ଯୁଦ୍ଧ ବିଶାରଦମାନେ ଏହା ପଛରେ ଏକାଧିକ କାରଣ ଓ ରହସ୍ୟ ଥିବା କହୁଛନ୍ତି । ସେମାନଙ୍କ ଅନୁସାରେ ଏହାପଛରେ ୧ ନଂ. କାରଣ ହେଉଛି ବିଶ୍ୱ ଅର୍ଥନୀତି ଓ ତୈଳ ଦର । ଇରାନ ସହ ଆମେରିକା ଗତ ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ କରିଥିଲା । ସେହିଦିନ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଥରି ଉଠିଥିଲା ତେହେରାନ ।
ଆମେରିକା ଓ ଇସ୍ରାଏଲ ଭାବିଥିଲେ ସପ୍ତାହକ ମଧ୍ୟରେ ଇରାନକୁ ପରାସ୍ତ କରିଦେବେ; କିନ୍ତୁ ସେମାନଙ୍କ ଗଣନା ଓଲଟା ହୋଇଗଲା । ନା ଇରାନ ଡରିଲା ନା ଆତ୍ମସମର୍ପଣ କଲା । ବରଂ ଆହୁରି ତେଜିୟାନ ହୋଇ ପ୍ରତିଆକ୍ରମଣ କରିଚାଲିଲା ।
ଫଳରେ ଏହି ଯୁଦ୍ଧ ଏବେ ପାଖାପାଖି ୪୧ ଦିନ ଛୁଇଁଲାଣି । ଇତିମଧ୍ୟରେ ପାରସ୍ୟ ଉପସାଗରରେ ଏକମାତ୍ର ବାଣିଜି୍ୟକ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନୀୟ ସେନା ଅବରୋଧ କରି ରଖିଛନ୍ତି ।
ଫଳରେ ସାରା ବିଶ୍ୱକୁ ତୈଳ ସଂକଟ ଘାରିଛି । ଏଥିଯୋଗୁଁ କ୍ରୁଡ ବା ଅଶୋଧିତ ତୈଳ ଦର ଆକାଶଛୁଅାଁ ହେବା ସହ ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି ।
ଏଣୁ ଏହି ଯୁଦ୍ଧକୁ ଯଥାଶିଘ୍ର ରୋକିବାକୁ ବିଶ୍ୱ ସମୁଦାୟ ଆପିଲ କରିଥିଲେ ।
୨. ଇରାନର କଡ଼ା କାଉଂଟର
ଟ୍ରମ୍ପଙ୍କ ବାରମ୍ବାର ଧମକକୁ ଇରାନ ଖାତିର ନ କରି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବିଭିନ୍ନ ରାଷ୍ଟ୍ର. ଉପରେ ସାହିଦ ଓ କାମିକାଜି ଡ୍ରୋନ ଦ୍ୱାରା ଆକ୍ରମଣ କରିଚାଲିଲା ।
ଏଥିରେ ଇସ୍ରାଏଲ, ୟୁଏଇ, ବାହାରିନ, ଜୋର୍ଡାନ, କୁଏତ ଆଦି ରାଷ୍ଟ୍ର ଉପରେ ଇରାନ ୨୦ରୁ ୩୦ ଲକ୍ଷ ଟଂକାରେ ନିର୍ମିତ ସାହିଦ ଓ କାମିକାଜି ଡ୍ରୋନରେ ଆକ୍ରମଣ ଜାରି ରଖି ସେଠାରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଓ ବାୟୁସେନା ଘାଟିଗୁଡ଼ିକୁ ଧ୍ୱଂସ କରିବା ଆରମ୍ଭ କରିଦେଇଥିଲା ।
ଅନ୍ୟପଟେ ଏହାକୁ ପ୍ରତିହତ କରିବା ପାଇଁ ଆମେରିକାକୁ ଥାଡ (ହାଇ ଅଲଟିଚ୍ୟୁଡ ଏୟାର ଡିଫେନ୍ସ)କୁ ବ୍ୟବହାର କରିବାକୁ ପଡ଼ିଥିଲା ଯାହାକି ସାହିଦ ଡ୍ରୋନର ମୂଲ୍ୟ ତୁଳନାରେ ପ୍ରାୟ ୧୦୦ ଗୁଣ ଅଧିକ ଥିଲା ଏବଂ ଏହା ଇରାନର ଡ୍ରୋନ ଆକ୍ରମଣକୁ ଅଟକାଇ ପାରିନଥିଲା ।
୩. ଅନ୍ତର୍ଜାତୀୟ ଚାପ ଓ ଏକାକୀ ହେବା ଭୟ
ଏହି ଯୁଦ୍ଧରେ ଆମେରିକାର ମିତ୍ର ନାଟୋ ରାଷ୍ଟ୍ର ଯଥା ବି୍ରଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଅନ୍ୟମାନେ ତାଙ୍କୁ କୌଣସି ସହାୟତା ଓ ସହଯୋଗ କରିନଥିଲେ । ସେମାନେ ଯୁଦ୍ଧ ନୁହେଁ ବରଂ କୂଟନୈତିକ ସ୍ତରରେ ଯେଭଳି ଭାବେ ଟ୍ରମ୍ପ ଏହି ଯୁଦ୍ଧର ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି ଚାହୁଁଥିଲେ ।
କିନ୍ତୁ ଟ୍ରମ୍ପ ସେମାନଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ସେମାନେ ଏହି ଯୁଦ୍ଧରୁ ନିଜକୁ ଦୂରେଇ ରଖିଥିଲେ । ଏଣୁ ଯଦି ଏହି ଯୁଦ୍ଧକୁ ଆହୁରି ଅଧିକ ସମୟ ପର୍ଯ୍ୟନ୍ତ ଟାଣିଲେ ଟ୍ରମ୍ପ କାଳେ ଏକାକୀ ହୋଇଯିବେ ସେହି ଭୟରେ ସେ ଏବେ ଏହି ଯୁଦ୍ଧବିରତି ଘୋଷଣା କରିଛନ୍ତି ।
ବିଶେଷ କରି ଇରାନର ଦୁଇ ପ୍ରମୁଖ ମିତ୍ର ରାଷ୍ଟ୍ର ଋଷ ଏବଂ ଚୀନ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଉପରେ ଅନ୍ତର୍ଜାତୀୟ ଚାପ ସୃଷ୍ଟି କରିଥିଲେ ।
ଏଣୁ ଯଦି ଟ୍ରମ୍ପ ଏହି ଯୁଦ୍ଧକୁ ଅଧିକ ପ୍ରସାର କରିଥାନ୍ତେ ହୁଏତ ସେମାନେ ମଧ୍ୟରେ ଏଥିରେ ଇରାନ ପଟୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ହୋଇଥାନ୍ତେ ଯାହାକି ତୃତୀୟ ବିଶ୍ୱ ମହାଯୁଦ୍ଧକୁ ଆମନ୍ତ୍ରଣ କରିଥାନ୍ତା ବୋଲି ଟ୍ରମ୍ପ ଡରି ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
୪. ଆମେରିକାରେ ତାଙ୍କ ବିରୋଧରେ ଜନ ଅସନ୍ତୋଷ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ବିରୋଧରେ ଏହି ଯୁଦ୍ଧ ପାଇଁ ତାଙ୍କ ଦେଶରେ ଅସନ୍ତୋଷକୁ ସାମ୍ନା କରିବାକୁ ପଡ଼ିଛି । ସେ ଏହି ଅନାବଶ୍ୟକ ଯୁଦ୍ଧକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ଆମେରିକୀୟମାନେ କହିବା ଆରମ୍ଭ କରିଦେଲେ । କାରଣ ଏହି ଯୁଦ୍ଧର ପ୍ରଭାବ ଆମେରିକା ଉପରେ ପଡ଼ୁଛି ବୋଲି ବିରୋଧୀ ଦଳ ଡେମୋକ୍ରାଟ୍ସ ପାର୍ଟି ସମେତ ଟ୍ରମ୍ପଙ୍କ ନିଜର ଦଳ ମଧ୍ୟ କଡ଼ା ବିରୋଧ କରିବା ଆରମ୍ଭ କରିଦେଲେ । ବିଶେଷ କରି ୱାଶିଂଟନର ଲୋକେ ବିରୋଧ କରିବା ସହ ପ୍ରାୟ ଟ୍ରମ୍ପ ଙ୍କ ବିରୋଧରେ ନାରାବାଜି କରି ଏକ ବିଶାଳ ଶୋଭାଯାତ୍ରା କଲେ ଯାହା ଟ୍ରମ୍ପଙ୍କୁ ମୁଣ୍ଡ ନୁଅାଁଇବାକୁ ବାଧ୍ୟ କରିଛି ।
୫. ଘରୋଇ ରାଜନୈତିକ ଚାପ ।
ଏହି ଯୁଦ୍ଧରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଖୋଦ ଆମେରିକା ଲୋକେ ନଥିଲେ । ସେମାନେ ଏହି ଯୁଦ୍ଧକୁୁ କଡ଼ା ବିରୋଧ କରିବା ଆରମ୍ଭ କରିଦେଇଥିଲେ । ବିଶେଷ କରି ଟ୍ରମ୍ପଙ୍କ ନିଜ ଦଳ ମଧ୍ୟ ଯୁଦ୍ଧକୁ ଯଥାଶିଘ୍ର ବନ୍ଦ ରଖିବାକୁ ତାଙ୍କ ଉପରେ ଚାପ ପକାଇଥିଲା ।
୬. ‘ଡିଲ-ମେକର’ର ଭାବମୂର୍ତି ବଜାୟ ରଖିବା ।
ପୂର୍ବରୁ ଅପରେସନ ସିନ୍ଦୁରବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସ୍ୱଳ୍ପ ସମୟର ଯୁଦ୍ଧକୁ ମୁଁ ବନ୍ଦ କରିଦେଇଛି ବୋଲି କହି ବୁଲିଥିଲେ ଟ୍ରମ୍ପ । ଏପରିକି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଦୀର୍ଘ ୪ ବର୍ଷର ଯୁଦ୍ଧକୁ ମଧ୍ୟ ମୁଁ ଅଟକାଇବାକୁ ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଛନ୍ତି ଟ୍ରମ୍ପ । ତେବେ ଗୋଟିଏ ପଟେ ଶାନ୍ତିର କଥା କହୁଥିବା ଟ୍ରମ୍ପ ଯେତେବେଳେ ଇସ୍ରାଏଲ କଥାରେ ପଡ଼ି ଇରାନ ବିରୋଧରେ ଆକ୍ରମଣ କଲେ ସେତେବେଳେ ତାଙ୍କର ଏହି ‘ଡିଲ-ମେକର’ର ଭାବମୂର୍ତି ବିପଦରେ ପଡ଼ିଯାଇଥିଲା । ଏଣୁ ନିଜର ଭାବମୂର୍ତିକୁ ବଂଚାଇ ରଖିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଏହି ୧୪ ଦିନିଆ ଯୁଦ୍ଧବିରତି ଘୋଷଣା କରିପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।