ଯୁଦ୍ଧରେ ଚୀନ ସାମିଲ ନେଇ ଆଶଙ୍କା!
ହର୍ମୁଜ ପ୍ରଣାଳୀରେ ବଢ଼ୁଛି ଯୁଦ୍ଧ ଆଶଙ୍କା ।
ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବିଶ୍ୱ ରାଜନୀତିକୁ ଏକ ବିପଦଜ୍ଜନକ ମୋଡ଼କୁ ନେଇ ଆସିଛି । ବିଶେଷ କରି ଚୀନ ଏହି ଅବରୋଧକୁ ଖୋଲାଖୋଲି ବିରୋଧ କରିବା ପରେ ଆମେରିକା ଓ ଚୀନ ମଧ୍ୟରେ ସିଧାସଳଖ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଛି ।
ଆମେରିକାର ପ୍ରତିବନ୍ଧକକୁ ଚୀନ ଚ୍ୟାଲେଞ୍ଜ କରିଛି । ଆମ ପାଇଁ ହର୍ମୁଜ ପ୍ରଣାଳୀ ସଦା ସର୍ବଦା ଉନ୍ମୁକ୍ତ ବୋଲି ବେଜିଂ କହିଛି । ଇସଲାମାାଦ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ତାର ନୌସେନାକୁ ହର୍ମୁଜ ପ୍ରଣାଳୀରେ ମୁତୟନ କରିଛି । ଏହାର ଲକ୍ଷ୍ୟ ଇରାନର ବାଣିଜ୍ୟିକ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା । ମାତ୍ର ଚୀନ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।
ଏ ସମ୍ପର୍କରେ ଚୀନ ପ୍ରତିରକ୍ଷାମନ୍ତ୍ରୀ ଡୋଙ୍ଗ ଜୁନ ଏକ କଠୋର ବୟାନ ଦେଇ କହିଛନ୍ତି ଯେ ଇରାନ ସହିତ ଆମର ବାଣିଜ୍ୟିକ ସମ୍ପର୍କ ରହିଛି ଏବଂ କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଚୀନ ନିଜର ତେଳ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ ଜାହାଜ ପଠାଇବାକୁ ସଂକେତ ଦେଇଛି ।
ଅନ୍ୟପଟେ ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁ ଦେଶ ଇରାନକୁ ସାହାଯ୍ୟ କରିବ ସେମାନଙ୍କୁ କଠୋର ଆର୍ଥିକ ଦଣ୍ଡ ଭୋଗିବାକୁ ହେବ । ଆମେରିକାର ସେଂଟ୍ରାଲ କମାଣ୍ଡ ସୂଚନା ଦେଇଛି ଯେ ଇରାନ ଅଭିମୁଖେ ଯାଉଥିବା ଯେକୌଣସି ଜାହାଜକୁ ଯାଂଚ କରାଯିବ, ସେଥିରେ ଚୀନ ପତାକା ଥାଉ କିମ୍ବା ଅନ୍ୟ କାହାର ।
ଯଦି ଏହି ପଥରେ ସଂଘର୍ଷ ବଢ଼େ, ତେବେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବାର ସମ୍ଭାବନା ରହିଛି । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେଲେ ଏହା ବିଶ୍ୱ ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିବ । ବର୍ତମାନ ସମଗ୍ର ବିଶ୍ୱର ନଜର ସମୁଦ୍ର ମଝିରେ ଥିବା ସେହି ଟ୍ୟାଙ୍କରଗୁଡ଼ିକ ଉପରେ ରହିଛି ।
ଆମେରିକା ଯଦି କୌଣସି ଚୀନ ଜାହାଜକୁ ଅଟକାଏ, ତେବେ ଏହା ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।