ସର୍ତ ରଖିଲା ଇରାନ
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଆଜିକୁ ୨୪ଦିନରେ ପହଂଚିଛି ।
ସମଗ୍ର ବିଶ୍ୱ ସଂପ୍ରତି ତୈଳ ଓ ଅର୍ଥନୈତିକ ସଂକଟରେ ଉପନୀତ ହେବାକୁ ଯାଉଛି । ଏତିକିବେଳେ ଇରାନ ପକ୍ଷରୁ ଏକ ବଡ଼ ବୟାନ ସମ୍ମୁଖକୁ ଆସିଛି ।
ଇରାନ ଯୁଦ୍ଦ ବିତି ପାଇଁ ତିନିଟି ନୂତନ ସର୍ତ ରଖିଛି । ପଶ୍ଚିମ ଏସିଆରେ ଉତେଜନା ବୃଦ୍ଧି ପାଉଥିବାବେଳେ ଇରାନର ଜଣେ ବରିଷ୍ଠ ଅଧିକାରୀ ଲେବାନନ ଗଣମାଧ୍ୟମ ଅଲ୍ ମୟାଦୀନକୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତିଯେ ସେମାନେ ନିଜ ଯୋଜନା ଅନୁସାରେ ଯୁଦ୍ଧ କ୍ଷେତ୍ରରେ ଅଗ୍ରସର ହେଉଛନ୍ତି ।
ତେବେ ଇରାନ ପକ୍ଷରୁ ଯେଉଁ ତିନିଟି ସର୍ତ ଦିଆଯାଇଛି ସେଗୁଡ଼ିକ ହେଲା ଆମେରିକା ସୈନ୍ୟ ଶିବିର ବନ୍ଦ ରଖିବାକୁ ହେବ । କାରଣ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସୈନ୍ୟ ବେସକୁ ତୁରନ୍ତ ବନ୍ଦ କରିବାକୁ ହେବ । ହର୍ମୁଜ ପ୍ରଣାଳୀ ପାଇଁ ନୂତନ ନିୟମ ହେଉଛି ସମୁଦ୍ରର ଏହି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ପାଇଁ ନୂଆ ଆଇନ୍ ପ୍ରଣୟନ କରାଯାଉ, ଯାହାକି ଇରାନର ନିୟନ୍ତ୍ରଣରେ ରହିବ ।
ସେହିପରି ଇରାନ ବିରୋଧରେ ପ୍ରୋପାଗାଣ୍ଡା ଚଳାଉଥିବା ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ପ୍ରତ୍ୟାର୍ପଣ କରାଯାଉ ।
ଏହିଯୁଦ୍ଦ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହା ବିଶ୍ୱ ଅର୍ଥନୀତିକୁ ଆହୁରି ଦୁର୍ବଳ କରିବାର ଆଶଙ୍କା ରହୁଛି । ଇଂଟରନ୍ୟାସନାଲ ଏନର୍ଜି ଏଜେନ୍ସି (ଆଇଇଏ)ର ପ୍ରମୁଖ ଫାତିହ ବିରୋଲ୍ କେନବେରାରେ ଏକ ବଡ଼ ଚେତାବନୀ ଦେଇଛନ୍ତି ।
ଯୁଦ୍ଧ ଯୋଗୁଁ ଅନେକ ଗ୍ୟାସ ଓ ତୈଳ ଡିପୋ ଉପରେ ଆକ୍ରମଣ ହୋଇଛି, ଯାହା ଫଳରେ ସପ୍ଲାଇ ଚେନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ଇରାନ କ୍ଷତିପୂରଣ ଓ ସୁରକ୍ଷାର ଗ୍ୟାରେଂଟି ମାଗିଥିଲା, କିନ୍ତୁ ଏବେ ନୂଆ ସର୍ତ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି ।
କାରଣ ଇରାନ ସ୍ପଷ୍ଟ କରିଛି ଯେ ଶତ୍ରୁକୁ ଉଚିତ୍ ଶିକ୍ଷା ନ ଦେବା ପର୍ଯ୍ୟନ୍ତ ସେମାନେ ହଟିବେ ନାହିଁ ।