ପାକିସ୍ତାନ କରିବ ପିସ ଟକର ହୋଷ୍ଟ
ସଫଳ ହେବ ତ ଶାନ୍ତି ଆଲୋଚନା !
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ମାସକରୁ ଊଦ୍ଧ୍ୱର୍ ଦିନ ଅତିକ୍ରାନ୍ତ କରିସାରିଛି । ଏଥିରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନ ଧ୍ୱସ୍ତବିଧ୍ୱସ୍ତ ହେବା ସହ ଏହା ତା’ର ଶୀର୍ଷ ନେତା ଆୟୋତଲ୍ଲା ଅଲ୍ଲୀ ଖେମେନାଇଙ୍କ ସମେତ ଅନେକ ଶୀର୍ଷ ନେତୃବୃନ୍ଦ, ବରିଷ୍ଠ ସାମରିକ ଅଧିକାରୀଙ୍କୁ ହରାଇସାରିଛି ।
ସେପଟେ ରକ୍ତମୁଖା ଇରାନର ପ୍ରତିଆକ୍ରମଣରେ ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟରେ ଆମେରିକାକୁ ପରୋକ୍ଷ ଭାବେ ସହାୟତା ଯୋଗାଉଥିବା ୟୁଏଇ, ବାହାରିନ, କାତାର, ଜୋର୍ଡାନ, କୁଏତ, ଓମାନ ଆଦି ରାଷ୍ଟ୍ର ମଧ୍ୟ ଛାରଖାର ହୋଇସାରିଛନ୍ତି ।
ତେବେ ଏହି ଯୁଦ୍ଧରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ୱବାସୀ ।
କାରଣ ଇରାନ-ଓମାନ ମଧ୍ୟରେ ଥିବା ଏକମାତ୍ର ପଣ୍ୟବାହୀ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନ ମାସେ କାଳ କବଜା କରି ରଖିଛି ।
ଫଳରେ ଇରାନର ଅନୁମତି ବିନା କୌଣସି ଜାହାଜ ମଧ୍ୟପ୍ରାଚ୍ୟରୁ ତୈଳ, ଗ୍ୟାସ ଆଦି ନେଇ ଆସିପାରୁ ନାହିଁ । ପରିଣାମସ୍ୱରୂ ସାରା ବିଶ୍ୱରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଏଲପିଜିର ଦାମ ଅହେତୁକ ଭାବେ ବଢ଼ିସାରିଛି ।
ଏଣୁ ଏହି ଯୁଦ୍ଧକୁ ବନ୍ଦ କରିବା ଲାଗି ସାରା ବିଶ୍ୱର ବିଭିନ୍ନ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପ୍ରବଳ ଚାପ ପକାଇବାରୁ ଟ୍ରମ୍ପ ମଧ୍ୟ ବାଧ୍ୟ ହୋଇ ଗତ ତିନି ଦିନ ତଳେ ୧୪ ଦିନିଆ ଯୁଦ୍ଧବିରତି ଘୋଷଣା କରିସାରିଛନ୍ତି ।
ତଥାପି ଜିଦିଆ ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ବିଶେଷ କରି ଏବେ ଇରାନର ସହଯୋଗୀ ରାଷ୍ଟ୍ର ଲେବାନାନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ।
ତେବେ ପରିସ୍ଥିତିର ଗୁରୁତ୍ୱକୁ ବୁଝି ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିକୁ କାଏମ ରଖିବା ସହ ଏହି ଯୁଦ୍ଧକୁ ବନ୍ଦ କରିବା ଲାଗି ପାକିସ୍ତାନ ଉଦ୍ୟମ ଆରମ୍ଭ କରିଛି ।
ଆଜି ପାକିସ୍ତାନରେ ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ବା ପିସ ଟକ ହେବ । ଏହାର ସଫଳତା ଉପରେ ଇରାନ ଏବଂ ମଧ୍ୟପ୍ରାଚ୍ୟର ଭବିଷ୍ୟତ ନିର୍ଭର କରିବ ।