ତୁରନ୍ତ ହର୍ମୁଜ ପ୍ରଣାଳୀ ଖୋଲିବାକୁ ହେବ : ଟ୍ରମ୍ପ
ଦୁଇ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ ରଖାଯାଇଛି ।
ଏହି କ୍ଷେତ୍ରରେ ଉଭୟ ଆମେରିକା ଓ ଇରାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବିଶ୍ୱକୁ ଏହି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।
ଟ୍ରମ୍ପଙ୍କ ବାର୍ତା ଅନୁଯାୟୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସୀମ ମୁନିର ତାଙ୍କୁ ଇରାନ ଉପରେ ବିନାଶକାରୀ ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ ।
ଏହି ମଧ୍ୟସ୍ଥତା ପରେ ଟ୍ରମ୍ପ ଆଗାମୀ ୧୪ଦିନ ପାଇଁ ବୋମାମାଡ଼ ଏବଂ ଆକ୍ରମଣ ସ୍ଥଗିତ ରଖିବାକୁ ରାଜି ହୋଇଥିଲେ । ଟ୍ରମ୍ପ କହିଛନ୍ତି ଯେ ଇରାନକୁ ତୁରନ୍ତ, ସମ୍ପୂର୍ଣ୍ଣ ଏବଂ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଖୋଲିବାକୁ ପଡ଼ିବ । ଟ୍ରମ୍ପ ତାଙ୍କ ପୋଷ୍ଟରେ ଏହି ନିଷ୍ପତି ନେପଥ୍ୟରେ ଥିବା ରଣନୈତିକ କାରଣଗୁଡ଼ିକୁ ମଧ୍ୟ ପ୍ରକାଶ କରିଛନ୍ତି ।
ଆମେରିକା ଦାବି କରୁଛି ଯେ ଏହା କେବଳ ତାର ସମସ୍ତ ସାମରିକ ଉଦେ୍ଦଶ୍ୟ ହାସଲ କରି ନାହିଁ, ବରଂ ସେଗୁଡ଼ିକୁ ଅତିକ୍ରମ କରି ସାରିଛି । ଇରାନ ଆମେରିକାରୁ ଏକ ୧୦ସୂତ୍ରୀ ପ୍ରସ୍ତାବ ପାଇଛି । ଯାହାକୁ ଟ୍ରମ୍ପ ପ୍ରଶାସନ ଆଲୋଚନା ପାଇଁ ଏକ ଦୃଢ଼ ଆଧାର ବୋଲି ବିବେଚନା କରେ ।
ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଦୁଇ ସପ୍ତାହର ସମୟ ରଖାଯାଇଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ ଏକ ଦୀର୍ଘକାଳୀନ ବିଶ୍ୱ ସମସ୍ୟା ଏବେ ସମାଧାନର ବହୁ ନିକଟତର ।
ଯଦି ଏହି ଦୁଇ ସପ୍ତାହର ଅବଧି ସଫଳ ହୁଏ, ତେବେ ଏହା ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିପାରିବ ।
ବର୍ତମାନ ପାଇଁ ସମଗ୍ର ବିଶ୍ୱ ଇରାନର ପରବର୍ତୀ ପଦକ୍ଷେପ ଏବଂ ହର୍ମୁଜ ପ୍ରଣାଳୀ ଖୋଲିବା ଉପରେ ନଜର ରଖିଛି ।