ମଝି ଆକାଶରେ ପିଟି ହେଲା ଆମେରିକା ନୌସେନାର ଦୁଇ ଯୁଦ୍ଧ ବିମାନ
ଆମେରିକାର ଇଡାହୋଠାରେ ଏକ ସାମରିକ ବିମାନ ପ୍ରଦର୍ଶନୀ ଚାଲିଥିବାବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି ।
ରବିବାର ଦୁଇଟି ଆମେରିକୀୟ ନୌସେନା ଯୁଦ୍ଧ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇ ତଳେ ଖସିପଡ଼ିବା ସହ ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିମାନଟି ମାଟିରେ ପିଟି ହେବାର କିଛି ସେକେଣ୍ଡ ପୂର୍ବରୁ ସମସ୍ତ ୪ଜଣ କ୍ରୁ ସଦସ୍ୟ ପାରାଚୁଟ ମାଧ୍ୟମରେ ସୁରକ୍ଷିତ ଭାବେ ତଳକୁ ଡେଇଁ ପଡ଼ିଥିଲେ ।
ବର୍ତମାନ ସମସ୍ତେ ସୁସ୍ଥ ଏବଂ ସ୍ଥିର ଥିବା ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି । ଦୁର୍ଘଟଣାରେ ସାମିଲ ଥିବା ବିମାନ ଦୁଇଟି ହେଉଛି ଇଏ-୧୮ଜି ଗ୍ରୋଲର୍ସ, ଯାହାକି ୱାଶିଂଟନର ହୁଇଡବେ ଆଇଲ୍ୟାଣ୍ଡରେ ଥିବା ଇଲେକ୍ଟ୍ରୋନିକ୍ ଅଟାକ ସ୍କ୍ୱାଡ୍ରନ ୧୨୯ର ଅନ୍ତର୍ଗତ । ୟୁଏସ ପାସିଫିକ ପ୍ଲିଟର ମୁକପାତ୍ର କମାଣ୍ଡର ଆମେଲିଆ ଉମାୟାମ କହିଛନ୍ତି ଯେ ଉଭୟ ବିମାନ ଏକ ପ୍ରଦର୍ଶନୀ କରୁଥିବାବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଥିଲା ।
ପ୍ରଦର୍ଶନୀ ଦେଖୁଥିବା ଦର୍ଶକଙ୍କ ଦ୍ୱାରା ରେକର୍ଡ କରାାଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କୋଟି କୋଟି ଟଙ୍କାର ଏହି ଦୁଇ ବିମାନ ତଳକୁ ଖସିବାବେଳେ ଆକାଶରେ ୪ଟି ଧଳା ପାରାଚୁଟ ଖୋଳି ଯାଇଥିଲା ଏବଂ ବିମାନଟି ମାଟିରେ ପଡ଼ିବା କ୍ଷଣି ଏକ ବିରାଟ ଅଗ୍ନିପିଣ୍ଡରେ ପରିଣତ ହୋଇଥିଲା ।
ଘଟଣା ପରେ ସେନା ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳକୁ ସିଲ କରି ଦେଇଥିଲେ ଏବଂ ଗନଫାଇଟର ସ୍କାଏଜ ନାମକ ଏହି ଏୟାର ସୋର ବାକି କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ । ବୋଇସେ ସହରଠାରୁ ପ୍ରାୟ ୫୦ ମାଇଲ ଦକ୍ଷିଣରେ ଆୟ୍ରୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ବେଶ ଉତ୍ସାହ ଥିଲା । କାରଣ ୨୦୧୮ ମସିହା ପରେ ପ୍ରଥମ ଥର ପାଇଁ ଏଠାରେ ଏହି ବିମାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି ।