ବସରେ ନିଆଁ ଲାଗି ଜଳିଗଲେ ୨୧ ଯାତ୍ରୀ
ଦକ୍ଷିଣ ଇରାକର ନାସିରିଆ ସହର ନିକଟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାଦ୍ୱାରା ସେଥିରେ ନିଆଁ ଲାଗିଯିବାରୁ ପ୍ରାୟ ୨୧ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ୧୯ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସ୍ଥାନୀୟ ପୁଲିସର ବକ୍ତବ୍ୟ ଅନୁସାରେ ବସଟି ଦ୍ରୁତଗତିରେ ଯିବା କାରଣରୁ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଯାହାଦ୍ୱାରା ପ୍ରଚଣ୍ଡ ଆଘାତ ପାଇଁ ବସରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଓ ଉଦ୍ଧାରକାରୀ ଦଳ ଆସି ବସ ମଧ୍ୟରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧା କରିବା ସହ ଆହତଙ୍କୁ ହାସପାତାଳକୁ ପଠାଇଥିଲେ ।
ହାସପାତାଳରେ ଭର୍ତି ହୋଇଥିବା ଆହତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ବୋଲି ଜଣାପଡ଼ିଛି । ଅପରାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୧ଜଣ ହୋଇଥିବାବେଳେ ଆଗକୁ ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୈଦି ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିମିତ କଡ଼ା ନିର୍ଦେଶ ଦେଇଛନ୍ତି ।
ଘଟଣାର ଯଥାଶୀଘ୍ର ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ହୋଇଛି ।