ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଗୁଳିଚାଳନା : ୨୭ ମୃତ
ପାକିିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀ ନରସଂହାର ଘଟାଇଛନ୍ତି । ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି । ଫଳରେ ୨୭ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପିଓକେରେ ଉତେଜନା ବୃଦ୍ଧି ପାଇଛି ।
ପିଓକେରେ ପ୍ରତିବାଦର ନେତୃତ୍ୱ ନେଉଥିବା ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି (ଜେଏଏସି) ଅଭିଯୋଗ କରିଛି ଯେ ରାୱାଲାକୋଟରେ ଏକ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଏକାଠି ହୋଇଥିବା ଲୋକଙ୍କ ଉପରେ ସୁରକ୍ଷା ବାହିନୀ ଗୁଳି ଚଳାଇଛି ।
ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି ଅନୁଯାୟୀ ଶୁକ୍ରବାର ଶାହଜେଦ ହବିବ ନାମକ ଜଣେ ପ୍ରତିବାଦକାରୀଭ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ହତ୍ୟା କରିଥିଲେ । କମିଟି ନେତାମାନେ କହିଛନ୍ତି ଯେ ଶାହଜେବର ଅନ୍ତିମ ସଂସ୍କାର ପାଇଁ ଲୋକମାନେ ରାୱଲକୋଟରୁ କମ୍ବାଇନ ମିଲିଟାରୀ ହସ୍ପିଟାଲ ବାହାରେ ଏକତ୍ରିତ ହୋଇଥିଲେ ।
ଆୱାମୀ କାର୍ଯ୍ୟ କମିଟି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରତିବାଦ ସମୟରେ ଲୋକମାନେ ପାକିସ୍ତାନୀ ସେନା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ, ଯେତେବେଳେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ । ରିପୋର୍ଟ ଅନୁସାରେ କମିଟି ଅଭିଯୋଗ କରିଛି ଯେ ସୁରକ୍ଷା ବାହିନୀ ଗୁଳିରେ ୨୭ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ।
କିଛି ସ୍ଥାନୀୟ ଲୋକ ରିପୋର୍ଟ କରିଛନ୍ତି ଯେ ୧୦୦ରୁ ଊର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି । ତଥାପି ମୃତାହତଙ୍କ ସଠିକ ସଂଖ୍ୟା ନିଶ୍ଚିତ ହୋଇନାହିଁ । ଆୱାମୀ ଆକ୍ସନ କମିଟି ଦାବି କରିଛି ଯେ ହସ୍ପିଟାଲ ପରିସରରୁ ୧୧୦ରୁ ଅଧିକ ଲୋକ ଅଟକ ରଖାଯାଇଛି ।
ସୁରକ୍ଷା କାର୍ଯ୍ୟାନୁଷ୍ଠାନ ପରେ ଅନେକେ ନିଖୋଜ ଅଛନ୍ତି । କମିଟି ଏହା ମଧ୍ୟ ଅଭିଯୋଗ କରିଛି ଯେ ସୁରକ୍ଷା ବାହିନୀ ନିହତ ପ୍ରଦର୍ଶନକାରୀଙ୍କ ମୃତଦେହ ନିଜ କବଜାକୁ ନେଇଛି ।