ପାକିସ୍ତାନରେ ୩୩୧ ଶିଶୁ ଏଚଆଇଭିରେ ଆକ୍ରାନ୍ତ
ପାକିସ୍ତାନର ସରକାରୀ ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାଧାରଣଙ୍କ ସମ୍ମୁଖକୁ ଆସିଛି । ପଞ୍ଜାବ ପ୍ରଦେଶର ଟାଉନ୍ସଠାରେ ଥିବା ଟିଏଚକ୍ୟୁ ହସ୍ପିଟାଲର ଡାକ୍ତରଙ୍କ ଅବହେଳା ଯୋଗୁଁ ୩୩୧ରୁ ଅଧିକ ଶିଶୁ ଦୁରାରୋଗ୍ୟ ଏଚଆଇଭିରେ ଆକ୍ରାନ୍ତ ହୋଇଛନ୍ତି ।
ଗୋଟିଏ ସିରିଞ୍ଜର ପୁନଃବ୍ୟବହାର ଏବଂ ମୌଳିକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅବହେଳା ଯୋଗୁଁ ପିଲାମାନଙ୍କ ଜୀବନ ସଂପ୍ରତି ବିପଦରେ ପଡ଼ିଛି ବୋଲି ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।
ଏହି ଭୟଙ୍କର କାହାଣୀର ସବୁଠାରୁ ଦୁଃଖଦ ଘଟଣା ହେଉଛି ଆଠ ବର୍ଷୀୟ ମହମ୍ମଦ ଆମିନଙ୍କ ମୃତ୍ୟୁ । ଏଚଆଇଭିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଆମନିଙ୍କ ମାଆ କହିଛନ୍ତି ଯେ ଜୀବନର ଶେଷ ଦିନଗୁଡ଼ିକରେ ତାଙ୍କୁ ପ୍ରବଳ ଜଗବର ଏବଂ ଯନ୍ତ୍ରଣା ହୋଇଥିଲା । ଅମିନଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଆସମା ମଧ୍ୟ ଏଚଆଇଭି ପଜିଟିଭ ପରୀକ୍ଷା କରିଥିଲେ ।
ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ ସରକାରୀ ହସ୍ପିଟାଲରେ ଚିକିତ୍ସା ସମୟରେ ଦିଆଯାଇଥିବା ଦୂଷିତ ଇଞ୍ଜେକସନ ଯୋଗୁଁ ସେମାନଙ୍କର ପିଲାମାନେ ଏହି ଘାତ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏହି ଭୟଙ୍କର ଘଟଣା ପର୍ଦ୍ଦାଫାସ ୨୦୨୪ ମସିହାରେ ଶେଷ ଭାଗରେ ହୋଇଥିଲା, ଯେତେବେଳେ ସ୍ଥାନୀୟ ଡାକ୍ତର ଗୁଲ କୈସରାନି ତାଙ୍କ କ୍ଲିନିକକୁ ଆସୁଥିବା ପିଲାମାନଙ୍କ ମଧ୍ୟରେ ଅସାଧାରଣ ଭାବେ ଅଧିକ ସଂଖ୍ୟକ ଏଚଆଇଭି ମାମଲା ଥିବା ଲକ୍ଷ୍ୟ କରିଥିଲେ ।
ଅଧିକ ତଦନ୍ତ ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଥିଲା ।
ରିପୋର୍ଟ ଅନୁଯାୟୀ ନଭେମବ୍ୱର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଟାଉନ୍ସଠାରେ ୩୩୧ଜଣ ପିଲାଙ୍କ ନମୂନା ପରୀକ୍ଷା ଏଚଆଇଭି ପଜିଟିଭ ଆସିଥିଲା ।
ଏହି ସଂକ୍ରମଣ ଅସୁରକ୍ଷିତ ଇଞ୍ଜେକସନ ବ୍ୟବହାର କରିବାଦ୍ୱାରା ବ୍ୟାପିଥିବା ଜଣାପଡ଼ିଥିଲା ।