ସହର ବାହାରେ ମୋଟର ସାଇକଲ ମନା କଲା ମାଲି
ପଶ୍ଚିମ ଆଫ୍ରିକୀୟ ଦେଶ ମାଲି ଏହାର ପ୍ରମୁଖ ସହର ବାହାରେ ମୋଟର ସାଇକଲ ବ୍ୟବହାରକୁ ନିଷେଧ କରିଛି । ବିଶ୍ୱର ସବୁଠାରୁ ଗରିବ ଏବଂ ସର୍ବନିମ୍ନ ବିକାଶିତ ଦେଶ ମଧ୍ୟରୁ ମାଲିରେ ବଢ଼ୁଥିବା ଜିହାଦୀ ବିଦ୍ରୋହର ସମ୍ମୁଖୀନ ହେଉଛି ।
ଫଳସ୍ୱରୂପ ଏହି ଅସାଧାରଣ ନିଷ୍ପତି ନେଇଛନ୍ତି । ମାଲିରେ ଜିହାଦୀ ଗୋଷ୍ଠୀଗୁଡ଼ିକ ପ୍ରାୟତଃ ମୋଟର ସାଇକଲ ବ୍ୟବହାର କରୁଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ଦେଶ ବର୍ତମାନ ଏକ ଗମ୍ଭୀର ସୁରକ୍ଷା ସଂକଟର ସମ୍ମୁଖୀନ ହେଉଛି, ଜିହାଦୀମାନେ ରାଜଧାନୀ ବୀମାକୋକୁ ଘେରି ରହିଛନ୍ତି ଏବଂ ରାସ୍ତା ଅବରୋଧ କରୁଛନ୍ତି ।
ବୁଧବାର ସନ୍ଧ୍ୟାରେ ମାଲିର ଜାତୀୟ ଟେଲିଭିଜନରେ ଯାଇଥିବା ସୂଚନାରେ କୁହାଯାଇଛି, ସାରା ଦେଶରେପ୍ରମୁଖ ସହର ବାହାରେ ୧୨୫ସିସି ଏବଂ ତଦୁର୍ଦ୍ଦ ଇଞ୍ଜିନ କ୍ଷମତା ବିଶିଷ୍ଟ ମୋଟର ସାଇକଲକୁ ନିଷେଧ କରାଯାଇଛି । ତେବେ ଏହି ଆଦେଶରେ କିଛି ଛାଡ଼ ସାମିଲ ରହିଛି । ଏହି ନିଷେଧ ବାମାକୋ, ଆଂଚଳିକ ରାଜଧାନୀ ଏବଂ ଅନ୍ୟ କିଛି ସହରାଂଚଳ ପାଇଁ ପ୍ରଯୁଜ୍ୟ ହେବ ନାହିଁ । କର୍ତୃପକ୍ଷ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ୧୨୫ ସିସି କିମ୍ବା ତାଠାରୁ ଅଧିକ ଇଞ୍ଜନ କ୍ଷମତା ଥିବା ମୋଟର ସାଇକଲର ଆମଦାନୀ, ପରିବହନ, ବିକ୍ରି ଏବଂ ମାଗଣା ବଂଟନ ଦେଶବ୍ୟାପୀ ନିଷିଦ୍ଧ କରାଯାଇଛି ।
ଏପ୍ରିଲ ୨୫ ଏବଂ ୨୬ ତାରିଖରେ ଅଲ କାଏଦା ସହିତ ଜଡ଼ିତ ଜିହାଦୀ ଗୋଷ୍ଠୀ ଏବଂ ତୁଆରେଗ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହୋଇଥିବା ବଡ଼, ସମନ୍ୱିତ ଆକ୍ରମଣ ପରେ ମାଲିର ସୁରକ୍ଷା ସଂକଟ ଆହୁରି ବଢ଼ିଯାଇଛି । ଏପ୍ରିଲ ୩୦ରୁ ଜିହାଦୀମାନେ ବାମାକୋକୁ ଯାଉଥିବା ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛନ୍ତି ଏବଂ ଡଜନ ଡଜନ ବସ ଏବଂ ମାଲବାହୀ ଟ୍ରକ ପୋଡି ଦେଇଛନ୍ତି ।
ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ଦେଶର ଉତରରେ ଅନେକ ଅଂଚଳକୁ ନିୟନ୍ତ୍ରଣ କରିଛନ୍ତି, ଯେଉଁଥିରେ ରଣନୈତିକ ସହର କିଡାଲ ମଧ୍ୟ ଅନ୍ତର୍ଭୁକ୍ତ ।