ସୁଦାନ ହାସପାତାଳରେ ଆକ୍ରମଣ, ୬୪ ମୃତ
ସୁଦାନର ପଶ୍ଚିମ ଦାର୍ଫୁର ଅଂଚଳରେ ଗତ ସପ୍ତାହରେ ଏକ ହାସପାତାଳ ଉପରେ ହୋଇଥିବା ଆକ୍ରମଣରେ ୬୪ଜଣଙ୍କ ପ୍ରାଣହାନୀ ଘଟିଛି ।
ମୃତକଙ୍କ ମଧ୍ୟରେ ୧୩ଶିଶୁ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି କୁହାଯାଇଛି । ଶୁକ୍ରବାର ପୂର୍ବ ଡାର୍ଫୁରରେ ଥିବା ଅଲ୍ ଡାଏନ୍ ଟିଚିଂ ହାସପାତାଳ ଉପରେ ଆକ୍ରମଣ ହୋଇଥିଲା ।
ଆକ୍ରମଣରେ ଅତି କମ୍ରେ ୮୯ଜଣ ଆହତ ହୋଇଥିଲେ ଏବଂ ହାସପାତାଳଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଘେବ୍ରେୟସସ୍ ଏକ୍ସରେ କହିଛନ୍ତି ।
ସୂଚନାଯୋଗ୍ୟ ଏପ୍ରିଲ ୨୦୨୩ ପରଠାରୁ ସୁଦନାରେ ସେନା ଓ ଅର୍ଦ୍ଦ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଘଟି ଦେଶରେ ବ୍ୟାପକ ଅରାଜକତା ଜାରି ରହିଛି । ଆର୍ଏସଏଫ୍ ହାସପାତାଳ ଉପରେ ଆକ୍ରମଣ ପାଇଁ ସେନାଙ୍କୁ ଦାୟୀ କରିଛି ।
ତେବେ ସେନା ପକ୍ଷରୁ ଆକ୍ରମଣକୁ ଖଣ୍ଡନ କରାଯାଇଥିବା ଜଣାପଡ଼ିଛି । ଦୁଇଜଣ ସେନା ଅଧିକାରୀ ସେମାନଙ୍କ ନାମ ଗୋପନ ରଖି ସେନା ପକ୍ଷରୁ ଏହି ଆକ୍ରମଣ ହୋଇଥିବା ସ୍ୱୀକାର କରିଛନ୍ତି । ସେନା ହାସପାତାଳ ନିଟରେ ଏକ ଏକ ପୁଲିସ ଷ୍ଟେସନକୁ ଟାର୍ଗେଟ୍ କରାଯାଇଥିଲା ।
ଗତ ତିନିର୍ଷ ହେଲା ସେନା ଓ ଅର୍ଦ୍ଦ ସାମରିକ ବାହିନୀ ମଧ୍ୟରେ ଯୁଦ୍ଧରେ ୪୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । କିନ୍ତୁ ସୁଦାନର ସହାୟତା କାର୍ଯ୍ୟରେ ଲିପ୍ତ ଗୋଷ୍ଠୀଙ୍କ ସୂଚନା ଅନୁଯାୟୀ ମୃତ୍ୟସଂଖ୍ୟା ଏହାର ବହୁଗୁଣ ହୋଇପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପରଠୁ ହାସପାତାଳ ଉପରେ ଆକ୍ରମଣରେ ୨ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ହେଲାଣି ।