କଲମ୍ବିଆ ବିମାନ ଦୁର୍ଘଟଣାରେ ୬୬ ଯାତ୍ରୀ ମୃତ
କଲମ୍ବିଆଠାରେ ଏକ ସାମରିକ ବିମାନ ଦୁର୍ଘଟଣାରେ ୧୧୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରଥମେ କୁହାଯାଇଥିଲା, ଯାହାକି ୬୬ଜଣ ବୋଲି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ କଲମ୍ବିଆର ଦକ୍ଷିଣ ଆମାଜନ ଅଂଚଳରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୨୫ଜଣ ଭଳି ଯାତ୍ରୀ ଥିଲେ ।
ସେମାନଙ୍କ ମଧ୍ୟରୁ ୬୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଅଳ୍ପ ବହୁତ ଆହତ ହୋଇଛନ୍ତି ବୋଲି କୁହାଯାଇଛି । ଏହି ଘଟଣା କଲମ୍ବିଆନ ବାୟୁସେନାର ସାଂପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି ଉଲ୍ଲେଖ କରାଯାଇଛି ।
ପ୍ରାୟ ଦୁଇ ଡଜନ ଲୋକ ଏବେ ବି ଭଗ୍ନାବଶେଷ ତଳେ ନିଖୋଜ ଥିବା ଅନୁମାନ କରାଯାଉଛି । ପଟୁମାୟୋ ବିଭାଗର ରାଜ୍ୟପାଳ ଜନ୍ ଗାବ୍ରିଏଲ ମୋଲିନା ସ୍ଥାନୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ ଦୁର୍ଘଟଣାରେ ଆଜି ପର୍ଯ୍ୟନ୍ତ ୬୬ଜଣଙ୍କ ମୃତ୍ୟୁ ଘଟିଛି ।
ଅନେକେ ଆହତ ଥିବାବେଳେ ୨୧ଜଣ ଭଳି ଯାତ୍ରୀ ନିଖୋଜ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଂଚେଜ୍ ସାମାଜିକ ଗଣମାଧ୍ୟମ ଏକ୍ସରେ କହିଛନ୍ତି ଯେ ଲକହିଡ ମାର୍ଟିନ୍ ନିର୍ମିତ ହର୍କୁଲେସ୍ ସୀ-୧୩୦ ପରିବହନ ବିମାନ ପେରୁ ସୀମାରେ ଥିବା ପୁଏଟୋ ଲେଗୁଇଜାମୋରୁ ଉଡାଣ ଭରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା ।
ସେ ଏହା ମଧ୍ୟ କହିଛନ୍ତି ଯେ ମୃତ୍ୟୁ ଓ ଆହତ ସଂଖ୍ୟାରେ ଆଗକୁ ପରିବର୍ତନ ଘଟିପାରେ ।