ଆମେରିକା ଯୁଦ୍ଧ ବିମାନକୁ ଅବତରଣ ପାଇଁ ଅନୁମତି ଦେଲାନି ଇଟାଲୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଥିବାବେଳେ ଇଟାଲୀ ଆମେରିକାକୁ ଏକ ବଡ଼ ଝଟକା ଦେଇଥିବା ପରିଲକ୍ଷିତ ହୋଇଛି ।
ସ୍ଥାନୀୟ ଗଣମାଧ୍ୟମ କୋରିଏର ଡେଲା ସେରା ଅନୁଯାୟୀ ଇଟାଲୀ ସରକାର ସିସିଲିରେ ମଧ୍ୟପ୍ରାଚ୍ୟ ଯାଉଥିବା ଏକ ବିମାନକୁ ଅବତରଣ କରିବାରୁ ବାରଣ କରିଛନ୍ତି ।
ରିପୋର୍ଟ ଅନୁସାରେ, ଇଟାଲୀ ସରକାର ଇରାନ ଯୁଦ୍ଧରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏହା ପ୍ରଥମ ଥର ଯେତେବେଳେ ପ୍ରଧାନମନ୍ତ୍ରୀ ଜିଓର୍ଜିିଓ ମେଲୋନିଙ୍କ ସରକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିରୋଧରେ ନିଜର ମତ ରଖିଛନ୍ତି ।
ଆହୁରି ଜଣାପଡ଼ିଛି ଯେ ସିସିଲିରେ ଆମେରିକୀୟ ବିମାନ ଅବତରଣ ପାଇଁ ଅନୁମତି ନ ଦେବା ଫଳରେ ଏହି ଅଂଚଳରେ ଆମେରିକୀୟ ସାମରିକ କାର୍ଯ୍ୟକଳାପ ପ୍ରଭାବିତ ହୋଇପାରେ । କାରଣ ସିସିଲି ମଧ୍ୟପ୍ରାଚ୍ୟରେ ମିଶନ ପାଇଁ ଏକ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ ।
ଗୋଟିଏ ଦିନ ପୂର୍ବରୁ ସ୍ପେନ ଆମେରିକା ବିମାନ ପାଇଁ ନିଜର ଆକାଶ ସୀମା ବନ୍ଦ କରି ଦେଇଥିଲା । ଇଟାଲୀ ଏବେ ଅବତରଣ ଅନୁମତି ମନା କରି ଦେଇଛି । ତେବେ ଇଟାଲୀ ମନା କରିବା ଗୁରୁତ୍ୱପୂର୍ଣ୍ଣ କାରଣ ଇଟାଲୀ ଏକ ନାଟୋ ସଦସ୍ୟ ଏବଂ ୟୁରୋପରେ ଏହାର ପ୍ରଭାବ ଯଥେଷ୍ଟ । ଏହା ବ୍ୟତୀତ ଏହାର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଏ ।
ଇଟାଲୀ ଏହି ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ବିବୃତି ଜାରି କରିନାହିଁ, କିନ୍ତୁ ଏହି ନିଷ୍ପତିକୁ ଇଟାଲୀରେ ହୋଇଥିବା ସାଂପ୍ରତିକ ଜନମତ ସହିତ ଯୋଡ଼ାଉଛି । ମେଲୋନିଙ୍କ ଦଳ ଏହି ଜନମତ ସଂଗ୍ରହରେ ଏକ ବଡ଼ ପରାଜୟ ବରଣ କରିଥିଲା ।
ଏହି ପରାଜୟର ଏକ କାରଣ ଭାବେ ଇରାନ ଯୁଦ୍ଧକୁ ଦର୍ଶାଯାଇଥିଲା ।
ଆସନ୍ତାବର୍ଷ ଇଟାଲୀରେ ସାଧାରଣ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଅଛି, ଯେଉଁଥିରେ ମେଲୋନି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିମିତ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।