ହର୍ମୁଜ ଖୋଲିବାକୁ ଚାପ ପକାଇଲା ୟୁଏଇ
ମଧ୍ୟପ୍ରାଚ୍ୟ ଯୁଦ୍ଦ କ୍ରମଶଃ ତେଜୁଛି ।
ଏହି ଆଶଙ୍କା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆମେରିକା ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ରଣନୀତିକ ହର୍ମୁଜ ପ୍ରଣାଳୀ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି ।
ଯଦି ୟୁଏଇ ସାମରିକ ବିବାଦରେ ଯୋଗ ଦିଏ, ତେବେ ଏହା ପ୍ରଥମ ପାରସ୍ୟ ଉପସାଗରୀୟ ଦେଶ ହେବ ଯିଏକି ଇରାନ ବିରୋଧରେ ଯୁଦ୍ଧ କରିବ । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ ଆରବ ଦେଶ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ସଂକଳ୍ପନାମା ପାଇଁ ଲବି କରୁଛି, ଯାହା ଏପରି କାର୍ଯ୍ୟକୁ ଅନୁମତି ଦେଇପାରେ ।
ଏମିରେଟ୍ସ ଅଧିକାୀଙ୍କ ଉଦ୍ଧୃତ ଦେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଦେଶର କୂଟନୀତିଜ୍ଞମାନେ ଆମେରିକା ଏବଂ ୟୁରୋପ ଓ ଏସିଆର ସାମରିକ ଶକ୍ତିମାନଙ୍କୁ ବଳପୂର୍ବକ ପ୍ରଣାଳୀ ଖୋଲିବା ପାଇଁ ଏକ ମିଳିତ ମଂଚ ଗଠନ କରିବାକୁ ଅନୁରୋଧ କରିଛନ୍ତି ।
ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଖାଦ୍ୟ ସମେତ ଉଭୟ ରପ୍ତାନି ଓ ଆମଦାନୀ ପାଇଁ ହର୍ମୁଜ ପ୍ରଣାଳୀ ଉପରେ ନିର୍ଭର କରନ୍ତି । ଅଧିକାଂଶ ଗଲ୍ପ ତୈଳ, ଯାହା ବିଶ୍ୱ ଯୋଗାଣର ପ୍ରାୟ ୨୦ ପ୍ରତିଶତ, ଏହା ଦେଇ ପ୍ରବାହିତ ହୋଇଥାଏ । କିନ୍ତୁ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ଇରାନ ଗୁରୁତ୍ୱପୂର୍ଣ୍ଣ ଜଳପଥ ବନ୍ଦ କରି ଦେଇଛି, ଯାହା ବିଶ୍ୱର ତୈଳ ଓ ପ୍ରାକୃତିକ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି କରିଛି ଏବଂ ବିଶ୍ୱ ବଜାରକୁ ପ୍ରଭାବିତ କରିଛି । ଏ ସମ୍ପର୍କରେ ୟୁଏଇର ଅଧିକାରୀମାନେ କହିଛନ୍ତି ଯେ ୟୁଏଇ ପ୍ରଣାଳୀକୁ ସୁରକ୍ଷିତ କରିବାରେ କିପରି ସାମରିକ ଭୂମିକା କରିପାରିବ ତାହା ଉପରେ ସକି୍ରୟ ଭାବେ ସମୀକ୍ଷା କରୁଛି ।
ୟୁଏଇର ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ହର୍ମୁଜ ପ୍ରଣାଳୀରେ ଗତାଗତ ସ୍ୱାଧୀନତା ସଂରକ୍ଷଣ କରାଯିବା ଆବଶ୍ୟକ ବୋଲି ବ୍ୟାପକ ବିଶ୍ୱସ୍ତରୀୟ ସହମତି ରହିଛି । ୟୁଏଇର ନୂତନ ଦୃଢ଼ ଆଭିମୁଖ୍ୟ ହେଉଛି ଯେ ଏହାର ରଣନୀତିକ ଦୃଷ୍ଟିକୋଣରେ ଏକ ମୌଳିକ ପରିବର୍ତନ, କାରଣ ଦେଶଣ ବାଣିଜ୍ୟିକ କେନ୍ଦ୍ର ଦୁବାଇ ଦୀର୍ଘଦିନ ଧରି ଇରାନ ଶାସନକୁ ଆର୍ଥିକ ସହାୟତା ଦେଇ ଆସୁଛି ।
ଅଧିକାରୀମାନେ କହିଛନ୍ତି ଯେ ସାଉଦି ଆରବ ସମେତ ଅନ୍ୟ ଉପସାଗରୀୟ ରାଷ୍ଟ୍ରର ମଧ୍ୟ ବର୍ତମାନ ଇରାନ ବିରୋଧରେ ମୁହାଁମୁହିଁ ହେଉଛନ୍ତି ଏବଂ ଇସଲାମିକ ଶାସନକୁ ଅକ୍ଷମ କିମ୍ବା ଗାଦିଚ୍ୟୁତ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରଖିବାକୁ ଚାହୁଁଛନ୍ତି ।
ଯୁଦ୍ଧ ଚାଲିଥିବାରୁ ୟୁଏଇ ଇରାନୀୟମାନଙ୍କୁ ଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ବୁଧବାର ତିନିଟି ପ୍ରମୁଖ ଏୟାରଲାଇନ୍ସ କହିଛନ୍ତି । ତେବେ ଦେଶରେ ୧୦ବର୍ଷର ରେସିଡେନ୍ସି ପରମିଟ୍ ଥିବା ଗୋଲଡେନ ଭିସାଧାରୀମାନେ ତଥାପି ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।
ୟୁଏଇ ଯୁଦ୍ଦରେ ଯୋଗ ଦେବାର ରିପୋର୍ଟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଦାବି ପରେ ଆସିଛି । ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନେତାନ୍ୟାହୁ ଏକ କ୍ୟାବିନେଟ୍ ବୈଠକରେ ମନ୍ତ୍ରୀମାନଙ୍କୁ କହିଛନ୍ତ ିଯେ କିଛି ଆରବ ଦେଶ ଆମ ପକ୍ଷରେ ଏକାଠି ଲଢ଼ିବା ବିଷୟରେ କହୁଛନ୍ତ ।