ଅସ୍ତ୍ରବିରତିରୁ ଓହରିବାକୁ ଇରାନର ଧମକ
ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ
ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ଏବେ ଭାଙ୍ଗିବା ଅବସ୍ଥାକୁ ଚାଲି ଆସିଛି ।
ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ କ୍ରମାଗତ ବୋମାମାଡ଼ ଜାରି ରହିଥିବାରୁ ଇରାନ ଏହି ଚୁକ୍ତିରୁ ଓହରିଯିବାକୁ ଧମକ ଦେଇଥିବା ଏକ ଆନ୍ତର୍ଜାତୀୟ ରିପୋର୍ଟରୁ ସୂଚନା ମିଳିଛି ।
ଇରାନର ସରକାରୀ ସମ୍ବାଦ ସଂସ୍ଥା ତାସନିମ ଅନୁଯାୟୀ ଯଦି ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନ ନ ଅଟକେ, ତେବେ ତେହେରାନ ଅସ୍ତ୍ରବିରତି ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃବିଚାର କରିବ ।
ଲେବାନନର ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନ ଶାନ୍ତି ପ୍ରକ୍ରିୟାର ଖୋଲାଖୋଲି ଉଲ୍ଲଙ୍ଘନ ବୋଲି ଇରାନ ଅଭିହିତ କରିଛି । ସୂଚନାଯୋଗ୍ୟ ଯେ ମାତ୍ର ୧୦ମିନିଟ୍ ମଧ୍ୟରେ ଇସ୍ରାଏଲ ବାୟୁସେନା ବୈରୁତ, ବେକ୍କା ଉପତ୍ୟକା ଏବଂ ଦକ୍ଷିଣ ଲେବାନନର ୧୦୦ରୁ ଅଧିକ ସ୍ଥାନରେ ପ୍ରଳୟଙ୍କରୀ ଆକ୍ରମଣ କରିଛି ।
ଏହାକୁ ଚଳିତ ଯୁଦ୍ଧର ସବୁଠାରୁ ବଡ଼ ସମନ୍ୱିତ ଆକ୍ରମଣ ବୋଲି କୁହାଯାଉଛି ।
ଲେବାନନ କର୍ତୃପକ୍ଷଙ୍କ ଅନୁଯାୟୀ ଏହି ସଂଘର୍ଷରେ ଏକର୍ଯ୍ୟନ୍ତ ୧୫୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଯଦିଓ ଆମେରିକା ଓ ଇରାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା, କିନ୍ତୁ ଇସ୍ରାଏଲ ହିଜବୁଲ୍ଲା ବିରୋଧରେ ନିଜର ଅପରେସନ ଜାରି ରଖିଥିବାରୁ ପଶ୍ଚିମ ଏସିଆରେ ପୁଣି ଥରେ ଭୟଙ୍କର ରକ୍ତପାତର ଆଶଙ୍କା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।