ପାରସ୍ୟ ଉପସାଗରରେ ଖସିଲା : ଆମେରିକାର ଡ୍ରୋନ୍ ଏମକ୍ୟୁ-୪ସି
ଆମେରିକୀୟ ନୌସେନାର ଏକ ଅତ୍ୟାଧୁନିକ ତଥା ଦାମୀ ସର୍ଭିଲାନ୍ସ ଡ୍ରୋନ ଏମକ୍ୟୁ-୪ସି ଟ୍ରାଇଟନ ପାରସ୍ୟ ଉପସାଗରରେ ଖସିପଡ଼ିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ଘଟଣାଟି ହର୍ମୁଜ ପ୍ରଣାଳୀ ନିକଟରେ ଘଟିଛି । ରାଡାରୁ ଅଦୃଶ୍ୟ ହେବା ପୂର୍ବରୁ ଏହି ଡ୍ରୋନ୍ରୁ ଏକ ଜରୁରୀକାଳୀନ ସିଗନାଲ ମିଳିଥିଲା ।
ସୂଚନା ଅନୁଯାୟୀ ଗତ ଏପ୍ରିଲ ୯ ତାରିଖରେ ଆମେରିକୀୟ ନୌସେନାର ଏହି ଡ୍ରୋନ ପାରସ୍ୟ ଉପସାଗର ଏବଂ ହର୍ମୁଜ ପ୍ରଣାଳୀ ଉପରେ ଏକ ଗୁପ୍ତଚର ମିଶନରେ ଥିଲା ।
ତେବେ ଉଡାଣ ସମୟରେ ହଠାତ୍ ଏଥିରୁ ଇମର୍ଜେନ୍ସି କୋଡ ୭୭୦୦ ସିଗନାଲ ମିଳିଥିଲା । ମାତ୍ର କିଛି ମିନିଟ ମଧ୍ୟରେ ଏହା ନିଜର ସ୍ୱାଭାବିକ ଉଚ୍ଚତା ୫୨,୦୦୦ ଫୁଟରୁ ତଳକୁ ଖସି ପ୍ରାୟ ୯,୫୦୦ ଫୁଟରେ ପହଂଚିଥିଲା । ଏହା ପରେ ଏହା ଫ୍ଲାଇଟ୍ ଟ୍ରାକିଂ ରାଡରୁ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଥିଲା ।
ବିଶେଷଜ୍ଞଙ୍କ ମତରେ ରିମୋଟ ପାଇଲଟଙ୍କ ସହ ଏହାର ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଛି ଏବଂ ଏହା ସମୁଦ୍ରରେ ଖସି ପଡ଼ିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଇରାନ ଉପରେ ଆମେରିକା ସନେ୍ଦହ କରୁଥିବା ଜଣାପଡ଼ିଛି । କାରଣ ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ମଧ୍ୟରେ ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କିଛି ଦିନ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ରାଜିନାମା ହୋଇଥିଲା । ତେବେ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହେବା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି ଅଛି ନା ଇରାନ ଏହାକୁ ଇଲେକ୍ଟ୍ରୋନିକ ୱାରଫେୟାର କିମ୍ବା କ୍ଷେପଣାସ୍ତ୍ର ମାଧ୍ୟମରେ ମାରି ଖସାଇ ଦେଇଛି, ସେ ନେଇ ସନେ୍ଦହ ଘନୀଭୂତ ହେବାରେ ଲାଗିଛି ।
ବର୍ତମାନ ସୁଦ୍ଧା ଆମେରିକୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ବା ସ୍ପଷ୍ଟୀକରଣ ମିଳିପାରି ନାହିଁ ।