ଇସଲାମାବାଦ ଆଲୋଚନା ଫେଲ
ୟୁରାନିୟମ, ହର୍ମୁଜ ପ୍ରସଙ୍ଗରେ ଅସହମତି
ଇସଲାମାବାଦରେ ପାକିସ୍ତାନର ମଧ୍ୟସ୍ଥତାରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ଫେଲ ମାରିଯାଇଛି । କାରଣ ଇରାନର ଦୁଇଟି ସର୍ତକୁ ମାନିଲାନି ଆମେରିକା । ଏ ନେଇ ଆମେରିକୀୟ ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ କହିଛନ୍ତି ଯେ, ଯୁଦ୍ଧ ବନ୍ଦ ହେବା ନେଇ କୌଣସି ନିସ୍କର୍ଷ ବାହାରିପାରି ନାର୍ହି । ଫଳରେ ୨୧ ଘଂଟା କାଳ ଇସଲାମାବାଦରେ ଇରାନ ଓ ଆମେରିକାର ପ୍ରତିପକ୍ଷଙ୍କ ମଧ୍ୟରେ ଯେଉଁ ଶାନ୍ତି ଆଲୋଚନା ଚାଲିଥିଲା ତାହା କ୍ରମେ ଫେଲ ମାରିଯାଇଛି ।
ସେହିପରି ଏଥିପାଇଁ ସେ ଇରାନକୁ ଦାୟୀ କରିବା ସହିତ ଆମେରିକାର କୌଣସି ସର୍ତକୁ ଇରାନ ନ ମାନିବାରୁ ଏହି ଆଲୋଚନା ବିଫଳ ହୋଇଯାଇଥିବା ସେ କହିଛନ୍ତି । ଇରାନକୁ ଆମ ଭଲ ଅଫର ଦେଇଥିଲୁ, କିନ୍ତୁ ସେ ତାହାକୁ ଗ୍ରହଣ ନ କରିବାରୁ ଆଲୋଚନା ବିଫଳ ହୋଇଥଇବା କହି ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଇସଲାମାବାଦ ଛାଡ଼ି ଆମେରିକା ଫେରିଯାଇଛନ୍ତି ।
ଅନ୍ୟପଟେ ଇରାନ ପକ୍ଷରୁ କୁହାଯାଇଛି ଯେ, ଆଲୋଚନାବେଳେ ଆମେରିକାର କିଛି ସର୍ତକୁ ଇରାନ ଗ୍ରହଣ କରିପାରି ନାହିଁ । ତେବେ ଆଲୋଚନା ସମୟରେ ଆମେରିକା ଯେଉଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲା ତାହା ବିଫଳ ହୋଇଛି ବୋଲି ଇରାନ ପକ୍ଷରୁ ପାର୍ଲାମେଂଟ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ କହିଛନ୍ତି ।
ସେ କହିଛନ୍ତି ଯେ ଆମେରିକାର ସର୍ତ ଗ୍ରହଣୀୟ ନଥିଲା । ଆଲୋଚନାବେଳେ ଆମେରିକା ଆତ୍ମସମର୍ପଣର ସର୍ତ ରଖିଥିଲା ଯାହା ସ୍ୱୀକାରଯୋଗ୍ୟ ନୁହେଁ ବୋଲି ଇରାନୀୟ ପ୍ରତିପକ୍ଷ ବାଘେର ଘାଲିବାଫ କହିଛନ୍ତି ।
ବିଶେଷ କରି ଜବତ ସମ୍ପତି କଟକଣାକୁ ନେଇ ସହମତି ହୋଇପାରିଲା ନାହିଁ । ସେହିପରି ୟୁରାନିୟମ, ହର୍ମୁଜ ପ୍ରସଙ୍ଗରେ ମଧ୍ୟ ଅସହମତି ହେବାରୁ ଆଲୋଚନା ସଫଳ ହୋଇାପାରିଲା ନାହିଁ ।
ତେବେ ଏହି ଆଲୋଚନା ବିଫଳ ପାଇଁ ଆମେରିକାକୁ ଇରାନ ଦାୟୀ କରିଛି ।
ଆଲୋଚନା କେବଳ ଆମେରିକାର ଏକ ବାହାନା ଥିଲା ବୋଲି ଇରାନ ଅଭିଯୋଗ କରିଛି ।
ସୂଚନାଥାଉ କି, ଗତ ଶନିବାର ଠାରୁ ଇସଲାମବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ମଧ୍ୟସ୍ଥତାରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଓ ଇରାନ ପାର୍ଲାମେଂଟର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ ଏବଂ ପ୍ରତିନିଧିଦଳ ମଧ୍ୟରେ ୨୧ ଘଂଟା ଧରି ଆଲୋଚନା ହୋଇଥିଲା ।
ତେବେ ଏହି ଆଲୋଚନା ସମୟରେ ଇରାନ ପକ୍ଷରୁ ରଖାଯାଇଥଇବା ୨ଟି ସର୍ତ କଂଟା ସାଜିଥିଲା ।
ଇରାନର ପ୍ରଥମ ସର୍ତ ଥିଲା ଆମେରିକା ତରଫରୁ ଯେଉଁ ୨ ସପ୍ତାହ ବ୍ୟାପୀ ଅସ୍ତ୍ରବିରତି ଘୋଷଣା କରାଯାଇଛି ସେଥିରେ ଲେବାନାନକୁ ସାମିଲ କରାଯାଉ ।
ଦ୍ୱିତୀୟ ସର୍ତ ହେଲା, ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରରେ ଜବତ କରାଯାଇଥିବା ଇରାନ ସମ୍ପତିକୁ ତୁରନ୍ତ ମୁକ୍ତ କରାଯାଉ; ମାତ୍ର ଇରାନର ଏହି ଦୁଇଟି ସର୍ତକୁ ଆମେରିକା ମାନିବାକୁ ରାଜି ନଥିବା ଜଣାପଡ଼ିଛି ।