ୟୁଏସକୁ ଉପେକ୍ଷା କରି ଭାରତର ବଡ଼ ପଦକ୍ଷେପ
ଗତ ସପ୍ତାହରେ ଇରାନ-ଆମେରିକା ମଧ୍ୟରେ ସଂଘର୍ଷ ବିରତି ହୋଇଛି, ତେବେ ତାପରଠୁ ପ୍ରଥମ ଥର ପାଇଁ ମୋଦୀ-ଟ୍ରମ୍ପ ଙ୍କ ମଧ୍ୟରେ ଏହି ପ୍ରଥମ ଆଲୋଚନା ହେଲା । ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସାର୍ଜିଓ ଗୋର କହିଛନ୍ତି ଯେ କିଛି ସମୟ ପୂର୍ବେ ସେ ଦୁହିଁଙ୍କ ଆଲୋଚନା ଶେଷ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଇରାମ-ଆମେରିକା ମଧ୍ୟ ସଂଘର୍ଷ ବିରତି ପାଇଁ ଶାନ୍ତି ବୈଠକ ବସିଥିଲା । କିନ୍ତୁ ତାହା ଫଳପ୍ରସୂ ହୋଇନାହିଁ । ଏହା ପରେ ଇରାନ ଭଳି ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଆମେରିକା ସିଦ୍ଧାନ୍ତ ନେଇଛି । ଉଦେ୍ଦଶ୍ୟ କେବଳ ଏତିକି ଯେ ଇରାନର ତେଲବାହୀ ଜାହାଜକୁ ଅଟକାଇବା । ଯାହାଦ୍ୱାରା ଇରାନ ତୈଳ ସଂକଟରେ ପଡ଼ିବ । କିନ୍ତୁ ଆମେରିକାର ଏହି ହର୍ମୁଜ ରୁଦ୍ଧ ଦ୍ୱାରା ଭାରତର କେତେକ ତୈଳ ଜାହାଜ ବାଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି । ଯାହାଦ୍ୱାରା ଦେଶବାସୀ ହଟହଟା ସମ୍ମୁଖୀନ ହେବେ । ତେଣୁ ଏହି ବିଷୟକୁ ଗୁରୁତ୍ୱ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ଟେଲିଫୋନରେ ବାର୍ତାଳାପ ହୋଇଛି । ଯାହାକି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି ।
ଅନ୍ୟପକ୍ଷରେ ଏକ ଟେଲିଭିଜନ ସାକ୍ଷାତକାରରେ ଇରାନ ରାଷ୍ଟ୍ରଦୂତ ଉଲ୍ଲେଖ କରିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ ଦେଇ ଜାହାଜ ଚଳାଚଳକୁ ସହଜ କରିବା ନିମନ୍ତେ ଭାରତୀୟ କର୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି ।
ତାଙ୍କର ବକ୍ତବ୍ୟ ଯେ ଭାରତୀୟ ଜାହାଜଗୁଡ଼ିକ ଯେପରି ନିର୍ବିଘ୍ନରେ ଷ୍ଟ୍ରେଟ ଅଫ୍ ହର୍ମୁଜ ଦେଇ ଚଳାଚଳ କରିପାରେ ସେଥିପାଇଁ ଆମ୍ଭ ସରକାରଙ୍କ ସହ ଉତମ ଯୋଗାଯୋଗ ରହିଛି । ତେବେ ମାର୍କିନ ଯୁକ୍ତରାଷ୍ଟ୍ରର ହର୍ମୁଜ ପ୍ରଣାଳୀ ଅବରୋଧଦ୍ୱାରା ଭାରତୀୟ ଜାହାଜର ସମସ୍ୟାର ସମାଧାନ ଘଟିବ କି ନାହିଁ ତାହା ନେଇ ପ୍ରଶ୍ନ ରହିଯାଉଛି ।
ଏଭଳି ପରିସ୍ଥିତିରେ ବ୍ରିଟେନ ଓ ଫ୍ରାନ୍ସର ଉଦ୍ୟୋଗ ମଧ୍ୟ ଜାରି ରହିଥିବା ଉଲ୍ଲେଖ କରାଯାଇଛି ।
ଆହୁରି ଜଣାପଡ଼ିଛି ଯେ ଇରାନର ଯୁଦ୍ଧ ପରିସ୍ଥିତିରେ ପୁଣି ସାହାଯ୍ୟର ହାତ ବଢ଼ାଇଛି ଭାରତ । ଏଥର ଯୁଦ୍ଧରେ ଆହତଙ୍କ ପାଇଁ ତେହେରାନରେ ନୂଆଦିଲ୍ଲୀ ପକ୍ଷରୁ ଔଷଧ ପଠାଯାଇଛି ।
ଜଣାପଡ଼ିଛି ଯେ ୨୦ହଜାର କିଲୋ ଔଷଧ ନେଇ ଦିଲ୍ଲୀରୁ ମାସାଦ ସହର ଅଭିମୁଖେ ଇରାନର ବିମାନ ଯାତ୍ରା ଆରମ୍ଭ କରିଛି । ପରିବର୍ତେ ଭାରତକୁ ହର୍ମୁଜ କ୍ଷେତ୍ରରେ ଇରାନ ରିଆତି ଦେଇଛି ।
କୁଟନୈତିକ ମହଲର ବକ୍ତବ୍ୟ ଯେ ଔଷଧ କୁଟନୀତିରେ ଏଥର ହର୍ମୁଜ ସମସ୍ୟା କଟାଇବା କ୍ଷେତ୍ରରେ ଭାରତ ବିଶେଷ କୌଶଳ ଅବଲମ୍ବନ କରିଛି ।