ଆମେରିକା ଯୁଦ୍ଧ ଜାହାଜ ଉପରେ ଇରାନର ଆକ୍ରମଣ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଅବସାନର ସମାଧାନ ଏବେବି ହୋଇପାରିଲା ନାହିଁ । ଯାହାଦ୍ୱାରା ହର୍ମୁଜ ସହ ବିଶ୍ୱର ବିଭିନ୍ନ ଅଂଚଳ ଏବେବି ଆତଙ୍କିତ ଅବସ୍ଥାରେ ଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ଓମାନ ସାଗରରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ସଂପ୍ରତି ଭୟଙ୍କର ରୂପ ନେଇଛି ।
ଇରାନର ଏକ ମାଲବାହୀ ଜାହାଜ ଉପରେ ଆମେରିକା ଆକ୍ରମଣ କରିବା ପରେ ଇରାନ ପକ୍ଷରୁ ଆମେରିକା ଯୁଦ୍ଧ ଜାହାଜଗୁଡ଼ିକ ଉପରକୁ ଡ୍ରୋନ ମାଡ଼ କରାଯାଇଛି ।
ଆମେରିକାର ନୌସେନା ଜାହାଜ ‘ୟୁଏସଏସ ସରୁଆନ୍ସ’ ଇରାନର ପତାକାଧାରୀ ମାଲବାହୀ ଜାହାଜ ‘ଟୁସ୍କା’କୁ ଓମାନ ସାଗରରେ ଅଟକାଇଥିଲା । ଆମେରିକାର ଦାବି ଅନୁଯାୟୀ ଏହି ଜାହାଜଟି ନୌସେନା ଅବରୋଧର ନିୟମ ଭଙ୍ଗ କରୁଥିଲା ।
ବାରମ୍ବାର ଚେତାବନୀ ସତ୍ୱେ ଇରାନର ଜାହାଜଟି ନ ଅଟକିବାରୁ ଆମେରିକା ଯୁଦ୍ଧ ଜାହାଜ ଏହାର ଇଞ୍ଜିନ ରୁମକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା । ଯାହାଫଳରେ ଜାହାଜଟି ଅଚଳ ହୋିଯାଇଥିଲା ।
ଏହା ପରେ ଆମେରିକା ମେରାଇନ୍ସ ଜାହାଜକୁ ନିଜ କବଜାକୁ ନେଇଛି । ଏହି ଘଟଣା ପରେ ଇରାନର ସେନା ଆମେରିକାର ଯୁଦ୍ଧ ଜାହାଜଗୁଡ଼ିକ ଉପରକୁ ଅନେକେ ଡ୍ରୋନ ଛାଡ଼ିଥିଲା ।
ଇରାନ ଦାବି କରିଛି ଯେ ସେମାନଙ୍କର ପ୍ରତିକ୍ରିୟା ଯୋଗୁଁ ଆମେରିକା ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା ।
ଏହି ଉତେଜନା ଯୋଗୁଁ ଇରାନ ପୁଣିଥରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଛି । ଫଳରେ ବିଶ୍ୱର ତୈଳ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।