ପାହାଡ଼ ଉପରେ ଫସିଲେ ୨୦୦ ପର୍ଯ୍ୟଟକ
ସୂର୍ଯେ୍ୟାଦୟ ଦେଖିବା ପାଇଁ ଏକ ପାହାଡ଼ରେ ବହୁ ସଂଖ୍ୟକ ପର୍ଯଟକ ଉଠି ଦୃଶ୍ୟକୁ ଉପଭୋଗ କରୁଥିବା ସମୟରେ ଅଚାନକ ପାହାଡ଼ର ପାଦଦେଶରେ ଗୁଳି ବର୍ଷା ହେବାଦ୍ୱାରା ସାଧାରଣ ପର୍ଯ୍ୟଟକ ଆତଙ୍କିତ ହୋଇପଡ଼ିଥିଲେ ।
ଏଭଳି ଘଟଣା ବ୍ରାଜିଲର ରିଓ ଡି ଜେନେରିଓରେ ଘଟିଛି ।
ପୁଲିସ ସହ ଏକ କୁଖ୍ୟାତ ଡ୍ରଗ୍ସ ଗ୍ୟାଙ୍ଗ ମଧ୍ୟରେ ଗୁଳି ବିନିମୟ ହେବାଦ୍ୱାରା ପ୍ରାୟ ୨ଶହରୁ ଅଧିକ ପର୍ଯ୍ୟଟକ ପାହାଡ଼ ଉପରେ ଫସି ରହିଥିଲେ ।
ସେମାନେ ଭୟରେ ତଳକୁ ନ ଓହ୍ଲାଇପାରିବାଦ୍ୱାରା କିଛି ସମୟ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ ଦୃଶ୍ୟ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଘଟଣାଟି ଏପ୍ରିଲ ୨୦ ତାରିଖରେ ଘଟିଥିଲା ।
୨୦୦ରୁ ଅଧିକ ପର୍ଯ୍ୟଟକ ରିଓ ଡି ଜେନେରିଓର ପ୍ରସିଦ୍ଧ ‘ମୋରୋ ଡୋଇସ ଇର୍ମାଉସ’ ଶିଖରରେ ଭୋର ସମୟରେ ପହଂଚିଥିଲେ ।
ସ୍ଥାନଟି ଇପାନେମା ବିଚର ସୁନ୍ଦର ଦୃଶ୍ୟ ପାଇଁ ବିଶେଷ ପରିଚିତ । ପର୍ଯ୍ୟଟକମାନେ ସୂର୍ଯେ୍ୟାଦୟ ପାଇଁ ଅପେକ୍ଷା କରି ଏକ ପାହାଡ଼ ଉପରେ ବସିଥିବାବେଳେ ପୁଲିସ ପାହାଡ଼ ତଳେ ଅବସ୍ଥିତ ‘ଭିଡ଼ିଗାଲ ଫାଭେଲା’ (ବସ୍ତି)ରେ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲା ।