ପୁଣି ଇସ୍କନର ମନମାନି
ଲଣ୍ଡନରେ ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା
ଇସ୍କନ ତା’ର ମନମାନି କରିଚାଲିଛି । ଯେତେ ବାରଣ କଲେ ବି ସେ ଶୁଣୁନି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିନିୟମ ବାହାରେ ସେ କାମ କରୁଛି ।
ଏହାକୁ ନେଇ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କମିଟି ଓ ଖୋଦ ଗଜପତି ମହାରାଜ ବାରମ୍ବାର ଆକଟ କରିଆସୁଛନ୍ତି; କିନ୍ତୁ ଅମାନିଆ ଇସ୍କନ ତା’ ବାଟରେ ଚାଲିଛି ।
କିଛିଦିନ ତଳେ ଆମେରିକାରେ ଇସ୍କନ ଭକ୍ତମାନେ ଅଦିନିଆ ରଥଯାତ୍ରା କରିବା ସହ ଶ୍ରୀଜଗନ୍ନାଥଙ୍କ ହାତ ପାପୁଲି ଲଗାଇଥିଲେ । ଯାହା ଜଗନ୍ନାଥ ସଂସ୍କୃତିର ସମ୍ପୂର୍ଣ୍ଣ ବିପରୀତ ।
ଏହାକୁ ନେଇ ସେତେବେଳେ ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମକୀ କଟୂ ସମାଲୋଚନା କରିଥିଲେ ।
ଆଜି ପୁଣି ଅମାନିଆ ଇସ୍କନ ତା’ର ମନମାନି କରିିଛି ।
ଲଣ୍ଡନ ନିକଟ ୱାଟଫୋର୍ଡରେ ଇସ୍କନ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ସ୍ନାନଯାତ୍ରା କରିଛନ୍ତି ।
ଗଜପତି ମହାରାଜାଙ୍କ ବାରଣ ସତ୍ୱେ ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ଏହି ସ୍ନାନଯାତ୍ରା ପାଳନ କରାଯାଇଛି ।
ଇସ୍କନ ପକ୍ଷରୁ ତା’ର ୱେବସାଇଟ ଓ ସୋସିଆଲ ମିଡିଆରେ ଏନେଇ ସୂଚନା ପ୍ରକାଶ ପାଇଛି ।
ଏହାକୁ ନେଇ ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।