ତୈଳ ଭଣ୍ଡାରର ବିସ୍ତାର ପାଇଁ ୟୁଏଇ ସହ ଦୀର୍ଘକାଳୀନ ଚୁକ୍ତି ସମ୍ଭାବନା
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ଓ ଗୁରୁତ୍ୱପୂଣର୍ଣ ସାମୁଦ୍ରିକ ପଥ ‘ହର୍ମୁଜ ପ୍ରଣାଳୀ’ ବନ୍ଦ ହେବା ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଂଚ ଦିନିଆ ବିଦେଶ ଗସ୍ତ କରିଛନ୍ତି ।
ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ)ରୁ ଆରମ୍ଭ ହୋଇଥିବା ଏହି ଗସ୍ତରେ ସେ ନେଦରଲ୍ୟାଣଡସ, ସ୍ୱିଡେନ, ନରୱେ ଓ ଇଟାଲି ଗସ୍ତ କରିବେ । ଭାରତ ନିଜର ୮୫ପ୍ରତିଶତରୁ ଅଧିକ ତୈଳ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭର କରୁଥିବାବେଳେ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ୩ଟଙ୍କା ବୃଦ୍ଧି ପାଇଛି ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆବୁଧାବି ଗସ୍ତ ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତି ଆଣିବ ବୋଲି ମନେ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ସହ ଶକ୍ତି ସୁରକ୍ଷା ବିଷୟରେ ଗମ୍ଭୀର ଆଲୋଚନା କରିବେ ।
ଭାରତ ନିଜର ପେଟ୍ରୋଲିୟମ ଭଣ୍ଡାରକୁ ବସ୍ତାର କରିବା ପାଇଁ ୬.୫ ଏମଏମଟି କ୍ଷମତା ବିଶିଷ୍ଟ ଦୁଇଟି ନୂତନ ସୁବିଧା ନିର୍ମାଣ କରିବାକୁ ଯୋଜନା କରୁଛି, ଯେଉଁଥିରେ ୟୁଏଇର ସହାୟତା ଲୋଡାଯାଇଛି । ୟୁଏଇ ବର୍ତମାନ ଓପେକରୁ ବାହାରି ଯାଇଥିବାରୁ ଏହା ନିଜର ତୈଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ ।
ଏହାର ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ ହେବାର ସମ୍ଭାବନା ରହିଛି । ତୈଳ ବ୍ୟତୀତ ରନ୍ଧନ ଗ୍ୟାସର ସୁରକ୍ଷା ପାଇଁ ଏହି ଗସ୍ତରେ ବୃହତ ଏଲଏନଜି ଚୁକ୍ତି ମଧ୍ୟ ହୋଇପାରେ ।
ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୦ ବିଲିୟନ ଡଲରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।