ଆମେରିକା ସିନେଟରେ ଇରାନ ଯୁଦ୍ଧ ବନ୍ଦ କରିବା ପ୍ରସ୍ତାବକୁ ଅନୁମୋଦନ
ଆମେରିକା ସିନେଟରେ ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମରିକ ଶକ୍ତି ସୀମିତ କରିବାର ପ୍ରସ୍ତାବ ପାରିତ ହୋଇଛି ।
ଭୋଟରେ ବିରୋଧୀ ଡେମୋକ୍ରାଟଙ୍କ ସହ ଚାରିଜଣ ରିପବ୍ଲିକାନ ସାଂସଦ ସାମିଲ ହୋଇଥିଲେ । ତଥାପି ତିନିଜଣ ରିପବ୍ଲିକାନ ସାଂସଦ ଭୋଟ ଦେବାରୁ ବିରତ ରହିଥିଲେ । ପ୍ରସ୍ତାବଟି ୫୦-୪୭ ଭୋଟରେ ଗୃହୀତ ହୋଇଛି, ଯଦିଓ ଏହାକୁ ଆଇନରେ ପରିଣତ ହେବା ପୂର୍ବରୁ ଆହୁରି ଅନେକେ ପଦକ୍ଷେପ ଦେଇ ଯିବାକୁ ପଡ଼ିବ ।
ଏହା ଆଇନରେ ପରିଣତ ହୁଏ, ତେବେ ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ଟ୍ରମ୍ପ ପ୍ରଶାସନକୁ କଂଗ୍ରେସ (ଆମେରିକା ସାଂସଦ)ର ଅନୁମୋଦନ ଆବଶ୍ୟକ ହେବ । ବିଲ ଉପରେ ଏକ ଚୂଡ଼ାନ୍ତ ଭୋଟ ଏବେବି ସିନେଟରେ ବିଚାରାଧୀନ ରହିଛି । ଏହା ପରେ ଏହାକୁ ରିପବ୍ଲିକାନ ବହୁଳ ହାଉସ ଅଫ୍ ରିପ୍ରେଜେଂଟଟିଭ ଦ୍ୱାରା ଅନୁମୋଦନ କରିବାକୁ ପଡ଼ିବ । ତଥାପି ଏହା ପରେ ମଧ୍ୟ ଟ୍ରମ୍ପ ଏହାକୁ ଭିଟୋ ଦେଇପାରିବେ । ସେହି ଭିଟୋକୁ ଖାରଜ କରିବା ପାଇଁ ସିନେଟ ଓ ହାଉସ ଅଫ୍ ରିପ୍ରେଜେଂଟେଟିଭ ଉଭୟରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ହେବ, ଯାହାକୁ ବର୍ତମାନ କଷ୍ଟକର ବୋଲି ବିବେଚନା କରାଯାଉଛି । ଏହି ଭୋଟକୁ ବିରୋଧୀଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି ।
ବିରୋଧୀ ଯୁକ୍ତି ଦେଇଛନ୍ତି ଯେ ଆମେରିକାରେ ଯୁଦ୍ଧ ଆରମ୍ଭ କରିବା କିମ୍ବା ସେନା ପଠାଇବାର କ୍ଷମତା ରାଷଟ୍ରପତିଙ୍କ ପାଖରେ ନୁହେଁ, କଂଗ୍ରେସ ପାଖରେ ରହିବା ଉଚିତ । ଆମେରିକା ସମ୍ବିଧାନ ଏହି ସମାନ ବ୍ୟବସ୍ଥା ପ୍ରଦାନ କରେ । ଏହି ପ୍ରସ୍ତାବ ଭର୍ଜିନିଆ ଡେମୋକ୍ରାଟିକ ସିନେଟର ଟିମ କେନଙ୍କଦ୍ୱାରା ଆଗତ କରାଯାଇଥିଲା ।
ବିତର୍କ ସମୟରେ କେନ କହିଥିଲେ ଯେ ଯୁଦ୍ଧ ବିରତି ନେଇ ଆଲୋଚନା ଚାଲିଥିବାବେଳେ ଟ୍ରମ୍ପ କଂଗ୍ରେସ ସମ୍ମୁଖରେ ହାଜର ହୋଇ ତାଙ୍କର ରଣନୀତି ବ୍ୟାଖ୍ୟା କରିବା ଉଚିତ । କେନ କହିଛନ୍ତି ଯେ କେବଳ ରାଷ୍ଟ୍ରପତି ନୁହେଁ, କଂଗ୍ରେସ ପାଖରେ ଯୁଦ୍ଧ ଆରମ୍ଭ କରିବାର ଅଧିକାର ଅଛି । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପ ଆମେରିକାର ସୁରକ୍ଷା ପାଇଁ ତାଙ୍କ କ୍ଷମତା ମଧ୍ୟରେ କାର୍ଯ୍ୟ କରିଛନ୍ତି ।
ଆମେରିକା ଆଇନ ଅନୁଯାୟୀ ଜଣେ ରାଷ୍ଟ୍ରପତି କଂଗ୍ରେସ ଅନୁମୋଦନ ବିନା କେବଳ ୬୦ଦିନ ପାଇଁ ସାମରିକ ଅଭିଯାନ ଆରମ୍ଭ କରିପାରିବେ ।
ଏହାପରେ ତାଙ୍କୁ ଯୁଦ୍ଧ ସମାପ୍ତ କରିବାକୁ ପଡ଼ିବ, କଂଗ୍ରେସ ଅନୁମୋଦନ ନେବାକୁ ପଡ଼ିବ, କିମ୍ବା ସୈନ୍ୟମାନଙ୍କର ସୁରକ୍ଷିତ ପ୍ରତ୍ୟାହାର ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ୩୦ଦିନ ମାଗିବାକୁ ପଡ଼ିବ ।