ଭାରତ ପାଇଁ ଗୌରବ ଆଣିଲେ ମେଜର ଅଭିଳାଷା
ଲେବାନନରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟ କରୁଥିବା ଭାରତୀୟ ଶାନ୍ତିରକ୍ଷୀ ମେଜର ଅଭିଳାଷା ବାରାକଙ୍କୁ ୨୦୨୫ ମସିହାର ଜାତିସଂଘ ଲିଙ୍ଗ ପ୍ରବକ୍ତା ପୁରସ୍କାର (ୟୁଏନ ଜେଣ୍ଡର ଆଡଭୋକେଟ ଅଫ୍ ଦି ଇୟର ଆୱାର୍ଡ-୨୦୨୫) ପାଇଁ ମନୋନୀତ କରାଯାଇଛି ।
ଲେବାନନରେ ତାଙ୍କର ନିୟୋଜିତ ସମୟରେ ମହିଳା ଏବଂ ଝିଅମାନଙ୍କ ପ୍ରତି ତାଙ୍କର ଯୋଗାଯୋଗ ପ୍ରସାର ପ୍ରୟାସ ପାଇଁ ଅଭିଳାଷାଙ୍କୁ ୨୦୨୫ ମସିହାର ଜାତିସଂଘ ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର ପ୍ରଦାନ କରାଯିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଜାତିସଂଘରେ ଭାରତର ସ୍ଥାୟୀ ମିଶନ କହିଛି, ଗର୍ବର ସହିତ ଘୋଷଣା କରାଯାଉଛି ଯେ ମେଜର ଅଭିଳାଷା ବାରାକଙ୍କୁ ୨୦୨୫ ମସିହାରେ ଜାତିସଂଘର ସାମରିକ ଲିଙ୍ଗ ଅଧିବକ୍ତା ପୁରସ୍କାର ପ୍ରଦାନ କରାଯିବ ।
ମହିଳା ଏବଂ କିଶୋରୀ ଝିଅମାନଙ୍କ ସହ ତାଙ୍କର ଯୋଗାଯୋଗ, ସାମୁଦାୟିକ କାର୍ଯ୍ୟକଳାପ ଏବଂ ଶାନ୍ତିରକ୍ଷୀମାନଙ୍କ ପାଇଁ ଲିଙ୍ଗ ସମ୍ବେଦନଶୀଳତା ତାଲିମ ପାଇଁ ତାଙ୍କୁ ସମ୍ମାନିତ କରାଯାଉଛି । ଅଭିଳାଷା ଲେବାନନରେ ମିଳିତ ଜାତିସଂଘର ମଧ୍ୟବର୍ତୀକାଳୀନ ବାହିନୀର ଭାରତୀୟ ବାଟାଲିୟନରେ ମହିଳା ଏନଗେଜମେଂଟ ଟିମ (ଏଫଇଟି)ର କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ।
ମେଜର ଅଭିଳାଷା ବାରାକ ମଧ୍ୟ ଭାରତୀୟ ସେନାର ପ୍ରଥମ ମହିଳା ଯୁଦ୍ଧ ହେଲିକପ୍ଟର ପାଇଲଟ ।
ତାଙ୍କୁ ମେ ୨୯ରେ ଜାତିସଂଘ ମୁଖ୍ୟାଳୟରେ ସମ୍ମାନିତ କରାଯିବ ।
ସୂଚନାଯୋଗ୍ୟ ଯେ ଅଭିଳାଷା ବାରାକ ହରିଆଣାର ଜଣେ ଭାରତୀୟ ସେନା ଅଧିକାରୀ । ସେ ୨୦୧୬ ମସିହାରେ ଦିଲ୍ଲୀ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ତାଙ୍କର ସ୍ନାତକ ସମାପ୍ତ କରିଥିଲେ ।
୨୦୧୭ ମସିହାରେ ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରୁ ତାଙ୍କର ତାଲିମ ନେଇଥିଲେ । ସେ ୨୦୨୨ ମସିହାରେ ଭାରତୀୟ ସେନାର ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ହୋଇଥିଲେ ।