କରାଚୀରେ ପ୍ରବଳ ବର୍ଷା, ୧୯ ମୃତ
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଗତକାଲି ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷାରେ ପାକିସ୍ତାନର ୧୯ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି ।
ପ୍ରାକୃତିକ ବିପର୍ଯ୍ୟୟରେ ସଂପ୍ରତି ପାକିସ୍ତାନ ଧରାଶାୟୀ ହୋଇପଡ଼ିଛି । ପାକିସ୍ତାନର ସିନ୍ଧ ପ୍ରଦେଶର ରାଜଧାନୀ କରାଚିରେ ପ୍ରବଳ ବର୍ଷା ଯୋଗୁଁ ୧୯ଜଣଙ୍କ ମୃତ୍ୟୁ ହୋଇଛି ।
ପାକିସ୍ତାନର ଏକ ସମ୍ବାଦପତ୍ର ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନ ପାଣିପାଗ ବିଭାଗ (ପିଏମ୍ଡି) ପୂର୍ବରୁ ପ୍ରବଳ ବର୍ଷା ହେବାର ସତର୍କ କରାଇଥିଲା ।
କରାଚୀ ଏବଂ ସିନ୍ଧ ସହ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଯାହାକି ସତ୍ୟ ବୋଲି ପ୍ରମାଣିତ ହୋଇଛି । କରାଚିର କେତେକ ସ୍ଥାନରେ ପ୍ରବଳ ଝଡ଼ ଓ ବର୍ଷା ଲାଗି ରହିବାଦ୍ୱାରା ଘରର କାନ୍ଥ, ଛାତ ଇତ୍ୟାଦି ଭୁଶୁଡ଼ି ପଡ଼ିଛି, ଯାହାଦ୍ୱାରା ଅନେକଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ମଧ୍ୟ ହୋଇଛନ୍ତି ।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବହୁ ମୃତଦେହ ଉଦ୍ଧାର ହେବାର ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳର ଆଶଙ୍କା ବହୁ ଲୋକେ ସମ୍ଭବତଃ ଭ୍ଗ୍ନାବଶେଷ ତଳେ ଫସି ରହିଛନ୍ତି । ଊଦ୍ଧାରକାରୀ ଦଳର ଜଣେ ମୁଖପାତ୍ର କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରବଳ ବର୍ଷାରୁ ରକ୍ଷା ପାଇଁ ଅନେକେ କୋଠାଗୁଡ଼ିକ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ବହୁ କୋଠା ଭୁଶୁଡ଼ି ପଡ଼ିବାଦ୍ୱାରା ସେମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ସହ ମୃତାହତ ସଂଖ୍ୟା ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ସିନ୍ଧ ମୁଖ୍ୟମନ୍ତ୍ରୀ ଜିଲା ପ୍ରଶାସନ ଏବଂ ଜରୁରୀକାଳୀନ ସେବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ ନିମିତ ନିର୍ଦେଶ ଦେଇଛନ୍ତି ଏବଂ ଉଦ୍ଧାର କାର୍ଯ୍ୟରେ ଯେପରି ଅବହେଳା ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି ।