ଆମେରିକା ବାୟୁସେନା ଘାଟିରେ ଇରାନର ଆକ୍ରମଣ
ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆମେରିକା ଓ ଇରାନ ମଧ୍ୟରେ ପୁଣି ଉତେଜନା ସୃଷ୍ଟି ହୋଇଛି ।
ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇଥିବାରୁ ସଂପ୍ରତି ଆକ୍ରମଣ ଓ ପ୍ରତି ଆକ୍ରମଣ ଆରମ୍ଭ ହୋଇଛି । ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ (ଆଇଆରଜିସି) ପକ୍ଷରୁ ଆମେରିକା ଗୋଟିଏ ଏୟାର ବେସ ଉପରେ ହାମଲା କରାଯାଇଛି । ସ୍ଥାନୀୟ ସମୟ ଭୋର ପ୍ରାୟ ସାଢ଼େ ଚାରିଟା ।
ସେସମୟରେଆଇଆରଜିସି ଏପରି ଆକ୍ରମଣ କରିଥିବା କୁହାଯାଇଛି । ଏହା ପୂର୍ବରୁ ଆମେରିକା ସେନା ଇରାନର ବନ୍ଦର ଆବାସ ଏୟାରପୋର୍ଟ ନିକଟରେ ଆକ୍ରମଣ କରିଥିଲା । ଏହାର ବଦଲା ନେବାକୁ ଆଇଆରଜିସି ଆମେରିକା ବେସକୁ ଟାର୍ଗେଟ କରିଛି, କିନ୍ତୁ ଆମେରିକାର କେଉଁ ଏୟାର ବେସକୁ ଟାର୍ଗେଟ କରାଯାଇଛି, ତାହା ସ୍ପଷ୍ଟ କରାଯାଇନାହିଁ ।
ସେହିପରି ଯଦି ଆମେରିକା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବା ଜାରି ରଖିବ, ତେବେ ଏହାର ଜବାବ ଅତ୍ୟନ୍ତ ଭୟଙ୍କର ଦିଆଯିବ ବୋଲି ଇରାନ ଚେତାବନୀ ଦେଇଛି । କିଛି ଘଂଟା ପୂର୍ବରୁ ଷ୍ଟ୍ରେଟ ଅଫ୍ ହର୍ମୁଜ ନିକଟରେ ଇରାନୀୟ ଡ୍ରୋନ ଅପରେସନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆମେରିକୀୟ ଅଧିକାରୀମାନେ କହିଥିଲେ ।
ସେହିପରି ବନ୍ଦର ଆବାସ ନିକଟରେ ଡ୍ରୋନକୁ ନିୟନ୍ତ୍ରଣ କରିବାକୁ ଥିବା ଗ୍ରାଉଣ୍ଡ କଂଟ୍ରୋଲ ଷ୍ଟେସନକୁ ମଧ୍ୟ ଆମେରିକା ଧ୍ୱଂସ କରିଥିଲା । ଅପରେସନ ସୀମିତ ଓ ରକ୍ଷଣାତ୍ମକ ରହିଥିଲା । ଏବେ ବି ଆମେରିକା ଏପ୍ରିଲରେ ଲାଗୁ ହୋଇଥିବା ଯୁଦ୍ଧ ବିରତି ସହ ଏକମତ ରହିଥିବା ମଧ୍ୟ ୱାଶିଂଟନ କହିଥିଲା । ତେବେ ହମଲାର ଜବାବ ଦେବାକୁ ଇରାନ ପଛାଇ ନଥିବା ଦେଖାଯାଇଛି ।
ଇରାନ ପକ୍ଷରୁ ଆମେରିକା ବେସକୁ ଟାର୍ଗେଟ କରାଯାଇଥିବା ତେହରାନ ଦାବି କରିଛି ।