ଇରାନର ୩ଟି ତୈଳ ଟ୍ୟାଙ୍କରକୁ ଅଟକାଇଲା ଆମେରିକା
ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥଗିତ ରହିଥିଲେ ବି ଉତେଜନା ଏବେବି ହ୍ରାସ ପାଇନାହିଁ । କାରଣ ଏସୀୟ ଜଳସୀମାରେଆମେରିକା ନୌସେନା ଇରାନର ତିନିଟି ତୈଳ ଟ୍ୟାଙ୍କରକୁ ଅଟକ ରଖିଛି ।
ଅଟକ ଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଭାରତ, ମାଲେସିଆ ଓ ଶ୍ରୀଲଙ୍କା ଜଳସୀମା ନିକଟରେ ଗତି କରୁଥିଲା । ଆମେରିକା ନୌସେନା ଇରାନ ବିରୋଧରେ ଚଳାଇଥିବା ସାମୁଦ୍ରିକ ଅବରୋଧ କ୍ରମରେ ଏହି ୩ ଜାହାଜକୁ ଅଟକ ରଖିଛି । ତୈଳ ଟ୍ୟାଙ୍କରକୁ ଅଟକା ଯିବା ପରେ ସେଗୁଡ଼ିକର ଗତିପଥ ବଦଳାଇ ଫେରିଯିବାକୁ ପରାମର୍ଶ ଦିଆଯାଇଛି ।
ଅଟକ ହୋଇଥିବା ଜାହାଜଗୁଡ଼ିକ ହେଲା ଡୋରେନା, ଡିପ ସି ଓ ସେଭେନ । ଡୋରେନା ସୁପରଟ୍ୟାଙ୍କରଟି ପ୍ରାୟ ୨୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ଯାଉଥିଲା । ଏହାକୁ ଦକ୍ଷିଣ ଭାରତ ଉପକୂଳ ନିକଟରେ ଆମେରିକାର ଏକ ଯୁଦ୍ଧ ଜାହାଜ ଡେଷ୍ଟ୍ରୟର ଦ୍ୱାରା ଅଟକାଯାଇଛି ।
ଡିପ ସି ଜାହାଜଟି ମାଲେସିଆ ଉପକୂଳ ନିକଟରେ ଅଟକ ହୋଇଛି । ସେହିପରି ସେଭେନ ଏକ ଛୋଟ ଟ୍ୟାଙ୍କର, ଯାହା ନିଜ କ୍ଷମତାର ପ୍ରାୟ ୬୫% ତୈଳ ନେଇ ଯାଉଥିବାବେଳେ ଧରାପଡ଼ିଛି । ଆମେରିକା ଏବଂ ଇସ୍ରାଏଲର ଇରାନ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକା ଇରାନର ସାମୁଦ୍ରିକ ବାଣିଜ୍ୟ ଉପରେ କଟକଣା ଲଗାଇଛି ।
ହର୍ମୁଜ ପ୍ରଣାଳୀରେ ଇରାନ ପକ୍ଷରୁ ଲଗାଯାଇଥିବା ସାମୁଦ୍ରିକ ମାଇନ୍ସର ବିପଦକୁ ଏଡାଇବା ପାଇଁ ଆମେରିକା ନୌସେନା ଏବେ ଇରାନୀୟ ଜାହାଜକୁ ଟାର୍ଗେଟ କରୁଛି । ଏ
ହି ଅବରୋଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇଛି ।
ଏହାର ପ୍ରତିଶୋଧ ସ୍ୱରୂପ ଇରାନ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଅନ୍ୟ ଦେଶର କଂଟେନର ଜାହାଜଗୁଡ଼ିକୁ ଜବତ କରିବା ଆରମ୍ଭ କରିଛି । ଆମେରିକା କହିବା ଅନୁଯାୟୀ ଏହି ଅବରୋଧ ଆରମ୍ଭ ହେବା ପରଠାରୁ ଇରାନର ୩୧ଟି ଜାହାଜକୁ ଫେରିଯିବାକୁ ନିର୍ଦେଶ ଦିଆଯାଇଛି ।