କମୁଛି ଟ୍ରମ୍ପଙ୍କ ଲୋକପ୍ରିୟତା
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠୁ, ବିଶେଷ କରି ଇରାନ ସହ ଯୁଦ୍ଧ ଲାଗିବା କାରଣରୁ ହୁଏତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇବାକୁ ଲାଗିଛି ।
ନିଜ ରାଜନୈତିକ କ୍ୟାରିୟର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ସେ ସଂପ୍ରତି ଗତି କରୁଥିବା ବିଭିନ୍ନ ସୂତ୍ରରୁ ଖବର । ଇରାନ ସହିତ ଦୀର୍ଘଦିନ ଯୁଦ୍ଧ ଲାଗି ରହିବା ଦ୍ୱାରା ସମଗ୍ର ବିଶ୍ୱ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି । ଯାହାକୁ ଟ୍ରମ୍ପଙ୍କ ଉପରେ ଅନେକେ ଦୋଷାରୋପ କରିବା ଆରମ୍ଭ କରିଛନ୍ତି ।
ତଥ୍ୟ ଅନୁସାରେ ଯେଉଁମାନେ ତାଙ୍କୁ ଭୋଟ ଦେଇଥିଲେ, ସେମାନେ ମଧ୍ୟ ଏଥିପାଇଁ ଅନୁତାପ କରିବା ଆରମ୍ଭ କରିଛନ୍ତି । ଟ୍ରମ୍ପଙ୍କ ନେଟ୍ ଅନୁମୋଦନ ରେଟିଂ ମାଇନଓ ୧୭କୁ ମଧ୍ୟ ଖସିଛି ।
ପରିସଂଖ୍ୟାନ ଅନୁସାରେ ଟ୍ରମ୍ପଙ୍କ ମୂଲ୍ୟାଙ୍କନ ବର୍ତମାନ ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର, ରୋନାଲ୍ଡ ରେଗାନ ଏବଂ ଜୋ ବାଇଡେନଙ୍କ ମୂଲ୍ୟାଙ୍କନଠାରୁ ତଳେ ରହିଛି ।
ଟ୍ରମ୍ପଭ୍କ ଦ୍ୱିତୀୟ କାର୍ଯ୍ୟକାଳ ସକାରାତ୍ମକ ମୂଲ୍ୟାଙ୍କନ ସହିତ ଆରମ୍ଭ ହୋଇଥିଲା, କିନ୍ତୁ ଇରାନ ସହିତ ଯୁଦ୍ଧ ଲମ୍ବିବା ସହିତ ସେ ନିଜ ଦେଶରେ ସାଧାରଣଙ୍କ ବିଶ୍ୱାସ ହରାଇ ବସିଛନ୍ତି । ଟ୍ରମ୍ପଙ୍କ ନିକଟତର ବୋଲି ବିବେଚିତ ଫକ୍ସ ନ୍ୟୁଜ ପୋଲ ମଧ୍ୟ ତାଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
ଗତବର୍ଷ ମାର୍ଚରେ ୯୨% ରିପବ୍ଲିକାନ ଟ୍ରମ୍ପଙ୍କୁ ସମର୍ଥନ କରିଥିବାବେଳେ ସେହି ସମର୍ଥନ ଏବେ ୮୪%କୁ ହ୍ରାସ ପାଇଛି । ସେହିପରି ମାସାଚୁସେଟ୍ସ ଆମହର୍ଷ୍ଟ ବିଶ୍ୱବିଦ୍ୟାଳୟର ଏକ ସର୍ଭେ ସ୍ପଷ୍ଟ କରିଛି ଯେ ଆମେରିକୀୟ ଜନସାଧାରଣ ଇରାନ-ଆମେରିକା ଯୁଦ୍ଧ ସପକ୍ଷରେ ନାହିଁ ।
ସର୍ଭେ ଅନୁସାରେ କେବଳ ୨୯% ଲୋକ ଇରାନ ଉପରେ ଆକ୍ରମଣ ଏବଂ ଟ୍ରମ୍ପଙ୍କ ରଣନୀତିକୁ ସମର୍ଥନ କରିଛନ୍ତି । ଯେତେବେଳେ ୬୩% ଏହାକୁ ଭୁଲ୍ ବୋଲି ମନେ କରୁଛନ୍ତି ।
ଟ୍ରମ୍ପଙ୍କ ଅନୁମୋଦନ ରେଟିଂ, ଯାହା ଗତବର୍ଷ ଏପ୍ରିଲରେ ୪୪% ଥିଲା, ଏବେ ତାହା ମାତ୍ର ୩୩%କୁ ହ୍ରାସ ପାଇଛି । ତେଣୁ ବିଶେଷଜ୍ଞମାନଙ୍କ ମତ ଯେ ହୁଏତ ଏହି ଯୁଦ୍ଧ ଆମେରିକା ତଥା ଟ୍ରମ୍ପଙ୍କ ପାଇଁ ମହଙ୍ଗା ହେବ ।