ଇରାନକୁ ଟ୍ରମ୍ପଙ୍କ ଚେତାବନୀ
ଜଲଦି ହର୍ମୁଜ ପ୍ରଣାଳୀ ଖୋଲ, ନଚେତ ଭୋଗିବ
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମାସେ ଟପିସାରିଲାଣି । ନା’ ଇରାନ ମୁଣ୍ଡ ନୁଆଁଉଛି, ନା’ ଆମେରିକା ଥକୁଛି ।
କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନିଆ ଏକତରଫା ଯୁଦ୍ଧ ବିରତିର ଘୋଷଣା କରିଥିଲେ । ଏହି ସମୟରେ ଇରାନର କୌଣସି ପାୱାରା ପ୍ଲାଂଟ ଉପରେ ଆକ୍ରମଣ କରାଯିବନି ବୋଲି ଟ୍ରମ୍ପ କହିଥିଲେ ।
କିନ୍ତୁ ଏହାକୁ ନା’ ମାନିଥିଲା ଇସ୍ରାଏଲ ନା’ ଇରାନ । ଉଭୟ ଉଭୟଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିଲେ । ଫଳରେ ଏହି ଯୁଦ୍ଧର ଭୟାବହତା ବହୁ ପରିମାଣରେ ବୃଦ୍ଧି ପାଇଛି ।
ତେଣେ ଇରାନକୁ ପୁଣି ଥରେ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ବ୍ୟବସାୟିକ କାରବାର ପାଇଁ ହର୍ମୁଜ ପ୍ରଣାଳୀକୁ ଇରାନ ଖୋଲୁ ନଚେତ ଭୋଗିବ ।
ଯଦି ଇରାନ ତା’ର ଜିଦରେ ଅଟଳ ରହି ହର୍ମୁଜ ପ୍ରଣାଳୀକୁ ନ ଖୋଲେ ତା’ହେଲେ ଇରାନର ସମସ୍ତ ବିଦୁ୍ୟତ ଉତ୍ପାଦନ ପ୍ଳାଂଟ ଉଡ଼ାଇ ଦିଆଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ବିଶେଷ କରି ଦୀର୍ଘ ୪୭ ବର୍ଷ ହେବ ମଧ୍ୟପ୍ରାଚ୍ୟରେ ଇରାନର ଯେଉଁ ଆତଙ୍କୀ ଶାସନ ଚଳାଇଛି ତା’ର ଅନ୍ତ ହେବାର ସମୟ ଆସିଯାଇଛି ବୋଲି ଟ୍ରମ୍ପ କହିଛନ୍ତି ।
ସୂଚନାଥାଉ କି, ଇରାନକୁ ଦମନ କରିବା ପାଇଁ ଗତ ୨୦ ବର୍ଷ ଭିତରେ ସବୁଠାରୁ ଅଧିକ ସେନା ପଠାଇଛି ଆମେରିକା ।
ସ୍ଥଳଭାଗରେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଇରାନ- ଆମେରିକା ସେନା । ଇରାନ ଉପକୂଳରେ ଓହ୍ଲାଇବେ ପ୍ରାୟ ୩ ହଜାର ୫ଶହ ମେରାଇନ କମାଣ୍ଡୋ । ତେଣେ ଇରାନ ଆଖପାଖକୁ ଯିବେ ପ୍ରାୟ ୫୦ ହଜାର ଗ୍ରାଉଣ୍ଡ ଫୋର୍ସ ।